ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ହୋର୍ଡିଂକୁ ଘୋଡାଇଦେଲା ପ୍ରଶାସନ

197

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ପ୍ରାଧ୍ୟାପଦ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ମନୋସ ଦାସଙ୍କୁ ଅସମ୍ମାନ । ମନୋଜ ଦାସଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରିବାକୁ ଯାଉଛନ୍ତି । ହେଲେ ନିର୍ମାଣ ପୂର୍ବରୁ ସେଠାରେ ସ୍ଥାନ ପାଇଥିବା ହୋର୍ଡିଂରେ ମନୋଜ ଦାସଙ୍କୁ ଅସମ୍ମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସାହିତ୍ୟିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବଡ କଥା ହେଲା ଖବର ପ୍ରସାରିତ ହେବା ପରେ ତ୍ରୁଟି ଲୁଚାଇବାକୁ ହୋର୍ଡିଂଙ୍କୁ ଘୋଡାଇ ଦିଆଯାଇଛି ।

ମନୋଜ ଦାସ । ପରିଚୟର ଉଦ୍ଧ୍ୱର୍ରେ ଥିବା ଜଣେ ସାହିତ୍ୟ ସ୍ରଷ୍ଟା । କିମ୍ବଦନ୍ତୀ । ପରିଚୟ ଖୋଜିବାକୁ ଦ୍ରୁଷ୍ଟତା କଲେ, ଶହ ଶହ ସ୍ୱୀକୃତି । କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ପ୍ରାଧ୍ୟାପକ, ପଦ୍ମଶ୍ରୀ, ପଦ୍ମବିଭୂଷଣ । ଏଭଳି ଜଣେ ମହାନ, କାଳଜୟୀ ମଣିଷଙ୍କ ଆଗରେ କବିଟିଏ ବୋଲି ଲେଖିଦେଲେ, କିଏ ବା କେମିତି ଗ୍ରହଣ କରିଥାନ୍ତା । ଇଏ ହେଉଛି ସେହି ହୋଡିଂ । ଯାହା ବିଜୁଳି ବେଗରେ ପ୍ରଚାରିତ ହୋଇ, ଜନଅସନ୍ତୋଷ ସୃ୍ଷ୍ଟି କରିଛି । ଆଉ ବିବାଦ ସୃଷ୍ଟି ହେବା ପରେ ତ୍ରୁଟିକୁ ଘୋଡ଼ାଇବାକୁ ଉଦ୍ୟମ କରଛି ପ୍ରଶାସନ ।

ଗୋଟିଏ ହେଉଛି ବିବାଦ ବା ଅସନ୍ତୋଷ ପୂର୍ବର ଚିତ୍ର । ଅନ୍ୟଟି ଭୁଲ ଘୋଡ଼ାଇବାକୁ ପ୍ରଶାସନ କରିଥିବା ଉଦ୍ୟମର ଚିତ୍ର । ମନୋଜ ଦାସଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରୁଛନ୍ତି । ୬ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ମନୋଜ ଦାସ ଏବଂ ତାଙ୍କ ଭାଇ ମନ୍ମଥନାଥ ଦାସଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଉଛି । କିନ୍ତୁ ସେଠାରେ ଲାଗିଥିବା ଫଳକରେ ମନୋଜ ଦାସଙ୍କ ଫଟୋଟିଏ ବି ନାହିଁ । ଯାହାକୁ ନେଇ ସାହିତ୍ୟିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେଠାରେ ଲାଗିଥିବା ଫଳକରେ ‘କବି’ ମନୋଜ ଦାସ ଲେଖାଯାଇଛି । ତେବେ ମନୋଜ ଦାସଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆସିବା ପରେ ନିଜ ତ୍ରୁଟିକୁ ଲୁଚାଇବାକୁ ଚେଷ୍ଟା କରିଛି ପ୍ରଶାସନ । ଲାଗିଥିବା ଫଳକକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ଦିଆଯାଇଛି ।

ପୂଜ୍ୟପୂଜା ପରମ୍ପରାରେ ଏଭଳି ବିଚ୍ୟୁତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବଡ଼ କଥା ହେଉଛି- ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିକୃତିରେ ପ୍ୟାଂଟ କୋର୍ଟ ପିନ୍ଧାଇ ସମାଲୋଚନାର ଶିକାର ହୋଇଥିଲା ପ୍ରଶାସନ ।