ପୋଲିସ ଜାଲରେ ପଡିଲା କୁଖ୍ୟାତ ଲୁଟେରା ଗ୍ୟାଙ୍ଗ। ଗୋଡ଼ାଇ ଗୋଡ଼ାଇ ଧରିଲା ତିନି ଜିଲ୍ଲାର ପୋଲିସ।

282

କନକ ବ୍ୟୁରୋ: ଗତ ସୋମବାର ଫୁଲବାଣୀ ହାଟପଦା ନିକଟ ଆକ୍ସିସ୍ ବ୍ୟାଙ୍କ ପାଖରୁ ଅଜୟ ପାତ୍ର ନାମକ ବ୍ୟବସାୟୀଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଥିଲେ ଲୁଟେରା । ପୂରା ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ପିଛା କରି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ ୨ ଲୁଟେରା । ତା’ପରେ ପଲସର ବାଇକରେ ଫୁଲବାଣୀ ଗୋଚ୍ଛାପଡା ରାସ୍ତା ଦେଇ ବାଲନ୍ଦାପଡା ନିକଟ ଜଙ୍ଗଲକୁ ଯାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ଖବର ପାଇ ପୁଲିସ ଆରମ୍ଭ କରିଥିଲା ଅପରେସନ୍ ଲୁଟେରା । ଆରମ୍ଭ ହୋଇ ଯାଇଥିଲା ଲୁଟେରା ଓ ପୋଲିସ ମଧ୍ୟରେ ଛକାପଂଝା । ଜଙ୍ଗଲକୁ କର୍ଡନ କରି ଚାରିପଟୁ ଘେରି ରହିଥିଲା ପୋଲିସ । ଆଉ ତା’ପରେ ଯାହା ହୋଇଥିଲା ବଲିଉଡ୍ କାହାଣୀ ଭଳି । ଫେରାର ହେବାକୁ ଯେତେ ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରିନଥିଲେ ଲୁଟେରା । ଆଉ ଏପଟେ ୨ ଲୁଟେରାକୁ ଖସାଇ ଆଣିବା ଲାଗି କାର ଧରି ପହଞ୍ଚି ଯାଇଥିଲେ ୪ ସହଯୋଗୀ । ପୋଲିସ ଆଖିରେ ଜଙ୍ଗଲରୁ ବାହାରି ସହଯୋଗୀଙ୍କ ସହ କାର୍ ଯୋଗେ କଳାହାଣ୍ଡି ଯାଉଥିବାବେଳେ ଅଧାବାଟରେ କାବୁ କରିନେଲା ପୋଲିସ ।

ଗିରଫ ଲୁଟେରା ଗ୍ୟାଙ୍ଗଠାରୁ ଲୁଟ ହୋଇଥିବା ଟଙ୍କା, ପଲସର ବାଇକ୍, ଗୋଟିଏ କାର, ୭ଟି ମୋବାଇଲ ଫୋନ୍, ଗାଡି ଡିକି ଭାଙ୍ଗିବା ପାଇଁ ବ୍ୟବହୃତ ୨ଟି ଚାବି ଏବଂ ଦୁଇଟି ମାଷ୍ଟର ଚାବି ଜବତ ହୋଇଛି । ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗର ହେଲେ ଏ. କିଶୋର ଓରଫ ଏ.ଶ୍ରୀକାନ୍ତ ଏବଂ ଏ.ହରି ଓରଫ ଏଙ୍କେଟେସୁ, ଏମ୍ ଲିଲି ଓରଫ ନୀଳା, ସରସ୍ୱତୀ ଓରଫ ସାରସ, ଲିଟୁ ଗୌଡ, ଏବଂ ଏମ୍ ପାଣ୍ଡୁ । ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଘର ଆସ୍କା ଥାନା ପାକଲାପ୍ଲଲୀରେ । ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାମଲା ରହିଛି । ଏପରିକି ବିହାରରେ ବି ରହିଛି ଅପରାଧିକ ମାମଲା ।

୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି, କେଉଁ କେଉଁ ଅପରାଧରେ ଏମାନେ ଜଡିତ, ଜାଣିବା ପାଇଁ ତନାଘନା ଆରମ୍ଭ କରିଛି କନ୍ଧମାଳ ପୁଲିସ ।