ଆଜି ସରୁଛି ଆନ୍ଦୋଳନରତ ନର୍ସଙ୍କୁ ଦିଆଯାଇଥିବା ଡେଡଲାଇନ ।  ସେପଟେ ଜିଦରେ ଅଟଳ ନର୍ସ । ୩୦ ଜଣଙ୍କୁ ନୋଟିସ । 

29

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ଠିକା ନର୍ସଙ୍କୁ ସରକାର ଦେଇଥିବା ୨୪ ଘଂଟିଆ ମହଲତ  ଆଜି ପୂରଣ ହେଉଛି । ଚେତାବନୀର ଶେଷଦିନରେ ୩୦ରୁ ଅଧିକ ନର୍ସଙ୍କୁ ସରକାର ନୋଟିସ ଜାରି କରିଛନ୍ତି ।  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ନେଇ ନର୍ସ ସଂଘ ଦୁଇ ଫାଳ ହୋଇଥିଲା । ଗୋଟିଏ ଗୋଷ୍ଠୀ ଆନ୍ଦୋଳନ ପ୍ରତ୍ୟାହାର କରିଥିବାବେଳେ  ଆଉ ଏକ ଗୋଷ୍ଠୀ ଆନ୍ଦୋଳନ ଚଲାଇଛନ୍ତି ।

ଏପରିକି ଆନ୍ଦୋଳନ ଚଳାଇଥିବା ଗୋଷ୍ଠୀ ପୁରୁଣା ସଭାପତି ଓ ସମ୍ପାଦକଙ୍କୁ ବିତାଡିତ କରି ନୂଆ ସଭାପତି-ସମ୍ପାଦକ ଚୟନ କରିଛନ୍ତି । ସେପଟେ ଗତକାଲି ୨୪ ଘଂଟା ମଧ୍ୟରେ କାମରେ ଯୋଗ ନଦେଲେ ବହିଷ୍କାର କରାଯିବ ବୋଲି ସଚିବ ଶାଳିନୀ ପଣ୍ଡିତ କହିଥିଲେ । କିନ୍ତୁ ଏହାକୁ ମଧ୍ୟ ଖାତିର କରିନାହାନ୍ତି ନର୍ସ । ନିଜ ଜିଦରେ ଅଟଳ ଅଛନ୍ତି ଏବଂ ଧାରଣାରେ ବସି ରହିଛନ୍ତି ନର୍ସ  । ଲିଖିତ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ କରାଯିବ ବୋଲି ଭୁବନେଶ୍ୱର ଲୋୟର ପିଏଜିରେ ଧାରଣାରେ ବସିଥିବା ନର୍ସ କହିଛନ୍ତି  ।

ଉଲ୍ଲେଖ ଥାଉ କି, ଦାବି ପୂରଣରେ ଅଡ଼ି ବସିଛନ୍ତି ଠିକା ନର୍ସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ମଧ୍ୟ ତାହାର କୌଣସି ପ୍ରଭାବ ଆନ୍ଦୋଳନ ଉପରେ ପଡ଼ିନି । ବରଂ ଆହୁରି ତୀବ୍ର ହୋଇଛି ଠିକା ନର୍ସଙ୍କ ଆନ୍ଦୋଳନ । ବୁର୍ଲାରୁ କଟକ, ଭୁବନେଶ୍ୱରରୁ ବ୍ରହ୍ମପୁର, ସବୁଠି ନର୍ସମାନେ କାର୍ୟ୍ୟ ବନ୍ଦ ଜାରି ରଖିଛନ୍ତି । ଯେଉଁଥିପାଇଁ ସାରା ରାଜ୍ୟରେ ରୋଗୀ ସେବା ବିଗିଡ଼ି ଗଲାଣି । ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ରୋଗୀମାନେ ଏବେ ସରକାରୀ ମେଡିକାଲ ଛାଡ଼ି ଏବେ ଘରୋଇ ହସ୍ପିଟାଲ ମୁହାଁ ହୋଇଛନ୍ତି । ରାଜ୍ୟର ୩ଟି ଯାକ ପ୍ରମୁଖ ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇବାକୁ ନର୍ସ ନାହାନ୍ତି ।

ଯେଉଁ ଅସ୍ଥାୟୀ ନର୍ସ କାର୍ୟ୍ୟ କରୁଛନ୍ତି ସେମାନଙ୍କ ପକ୍ଷେ ବି ଦିନ ରାତି ୨୪ ଘଣ୍ଟା ସେବା ଯୋଗାଇବା ସମ୍ଭବପର ହେଉ ନାହିଁ । କଟକ ଶିଶୁ ଭବନରେ ବି ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଛୋଟ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନି । ଏପରିକି ଗତକାଲି ନର୍ସିଂ ଛାତ୍ରମାନଙ୍କୁ ଶିଶୁଭବନରେ କାର୍ୟ୍ୟ କରିବା ପାଇଁ ଡକାଯାଇଥିଲା । ମାତ୍ର ଆନ୍ଦୋଳନକାରୀ ନର୍ସମାନେ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ । ଜିଲ୍ଲା ମେଡିକାଲଗୁଡ଼ିକରେ ବି ସମାନ ଅବସ୍ଥା ଉପୁଜିଛି ।

ଲୋୟର ପିଏମଜିରେ ଧାରଣା ଦେଇଥିବା ନର୍ସମାନଙ୍କ କହିବା କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଦାବି ପୂରଣ କରାଯିବ ବୋଲି କହିଥିଲେ । ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛୁ । କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ । ଦାବିଗୁଡ଼ିକ ପୂରଣ କରିବା ଲାଗି ମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହାକୁ ଲିଖିତ ଆକାରରେ ଦିଅନ୍ତୁ। ନ ହେଲେ ଆନ୍ଦୋଳନ ସେଭଳି ଜାରି ରହିବ। ୨୫୦୦ ନର୍ସ ପେଟରେ ଓଦା କନା ଦେଇ ଆଉ କେତେଦିନ ଏଭଳି କାର୍ୟ୍ୟ କରିବୁ ବୋଲି ସେମାନେ କହିଛନ୍ତି ।