କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବ୍ରିଜ୍ ଭୂଷଣ ସିଂହ : କହିଲେ ଇସ୍ତଫା ଦେବି ନାହିଁ , ମୁଁ ନିର୍ଦ୍ଦୋଷ

275

କନକ ବ୍ୟୁରୋ : ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି ବ୍ରିଜ୍ ଭୂଷଣଙ୍କ ପ୍ରତିକ୍ରିୟା । ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟ ବୋଲି ସଫେଇ ରଖିଛନ୍ତି ବ୍ରିଜ୍ ଭୂଷଣ । ତାଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ ବୋଲି ସେ କହିଛନ୍ତି । ଖେଳାଳିମାନେ ଚଲାଇଥିବା ଏହା ଧାରଣା ନୁହେଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ସେ ଅପରାଧୀ ନୁହଁନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ କରାଯାଇଥିବାବେଳେ, ଦ୍ୱିତୀୟ ଏଫଆଇଆରଟି ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ହୋଇଛି । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା ।

ତାପରେ କୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ । ଅଭିଯୋଗ କରିବା ସତ୍ୱେ କଣ ପାଇଁ ମାମଲା ରୁଜୁ କରାଯାଇନି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହାର ଜବାବ ରଖି ଦିଲ୍ଲୀ ପୁଲିସ କହିଥିଲା କୌଣସି ଏତଲା ପୂର୍ବରୁ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ରହିଛି । ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା କହିଛନ୍ତି ଦିଲ୍ଲୀ ପୁଲିସ ଉପରେ ତାଙ୍କର ଭରସା ନାହିଁ ।