ମେ’ ମାସରେ ଲଘୁଚାପ ! ଆକଳନ କଲା ଭାରତୀୟ ପାଣିପାଗ ବିଭାଗ; ବାତ୍ୟା ରୂପ ନେବ କି ନାହିଁ ହୋଇନି ସ୍ପଷ୍ଟ

1,042

କନକ ବ୍ୟୁରୋ : ମେ’ ମାସ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି । କହିଛନ୍ତି, ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି ।

ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି । ଯଦି ବାତ୍ୟା ହେବ ଓଡିଶା ଉପରେ ପ୍ରଭାବ ରହିବ ନାହିଁ । ଗତ କିଛି ବର୍ଷ ହେବା ଲଗାତାର ଭାବେ ମେ ମାସରେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି । ତେବେ ଯଦି ମେ ମାସରେ କୌଣସି ବାତ୍ୟା ଆସେ ତାର କେମିତି ମୁକାବିଲା କରାଯିବ ସେଥିପାଇଁ, ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ । ଯଦି ବାତ୍ୟା ଆସେ ତାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।