ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବଙ୍ଗ ବିଭୂଷଣ’ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ବିଶିଷ୍ଠ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ । ଜାଣନ୍ତୁ କାରଣ ?

227

କନକ ବ୍ୟୁରୋ : ଶିକ୍ଷକ ନିଯୁକ୍ତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଡୁଆରେ ପଡିଥିବା ବେଳେ ପୁଣି ତାଙ୍କୁ ଏକ ଅପମାନ ଲାଗିଛି । ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପ୍ରଦାନ କରାଯାଉଥିବା ବଙ୍ଗ ବିଭୂଷଣ ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି ବରିଷ୍ଠ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ ।

ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବାକୁ ଶନିବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ନାମ ଘୋଷଣା କରାଯାଇଥିଲା । ଆଜି ଆୟୋଜିତ ଏକ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥାନ୍ତା । ହେଲେ ସେ ଏହି ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କେବଳ ତାଙ୍କ ପରିବାର ନୁହେଁ ଅମର୍ତ୍ତ୍ୟ ସେନ ମଧ୍ୟ ପ୍ରଥମରୁ ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଥିଲେ ।

ଏକ ଜାତୀୟ ଗଣମାଧ୍ୟମକୁ ଅମର୍ତ୍ତ୍ୟ ସେନଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଅମର୍ତ୍ତ୍ୟ ସେନ ଏବେ ବିଦେଶ ଗସ୍ତରେ ଅଛନ୍ତି । ୮୮ ବର୍ଷିୟ ଏହି ବିଶିଷ୍ଠ ଅର୍ଥନୈତିଜ୍ଞ ଏବେ ୟୁରୋପ ଯାଇଥିବା କଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ସେପଟେ ଶିକ୍ଷକ ନିଯୁକ୍ତିରେ ଅର୍ଥ କାରବାର ମାମଲାରେ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଏହାକୁ ନେଇ ସିପିଆଇ (ଏମ) ନେତା ସୂଜାନ ଚକ୍ରବର୍ତ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ କି ଏଭଳି ସ୍ଥିତିରେ ରାଜ୍ୟର କୌଣସି ବି ନାଗରିକ ମମତାଙ୍କ ସରକାର ଦ୍ୱାରା ପ୍ରଦାନ କରାଯାଉଥିବା କିଛି ପୁରସ୍କାର ଗ୍ରହଣ କରନ୍ତୁ ନାହିଁ ।