ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ । ପ୍ରଥମ ଦିନରୁ ହିଁ କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଂଟ

107

କନକ ବ୍ୟୁରୋ : ମଙ୍ଗଳବାରଠୁ ଲୋକସଭାରେ ଆରମ୍ଭ ହୋଇଛି ଅନାସ୍ଥା ପ୍ରସ୍ତାବ ଉପର ତର୍କ । ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ଆଜି କଂଗ୍ରେସ ପକ୍ଷରୁ ପ୍ରଥମେ ବକ୍ତବ୍ୟ ରଖିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ମୌନବ୍ରତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମଣିପୁର ପ୍ରସଙ୍ଗରେ ୩ଟି ପ୍ରଶ୍ନର ଉତର ଦାବି କରିଛି କଂଗ୍ରେସ । ସରକାର ରାଜଧର୍ମ ପାଳନ କରନ୍ତୁ ବୋଲି କଂଗ୍ରେସ କହିଛି । ୩ଟି ପ୍ରଶ୍ନ କରି କଂଗ୍ରେସ କହିଛି, ମୋଦୀ କାହିଁକି ମଣିପୁର ଗସ୍ତ କରିନାହାନ୍ତି? ମଣିପୁର ପ୍ରସଙ୍ଗରେ ମତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ୮୦ ଦିନ ସମୟ ଲାଗିଲା? ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରାଯାଇନାହିଁ ।

ସେପଟେ କଂଗ୍ରେସ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଂସଦ ନୀଶୀକାନ୍ତ ଦୁବେ କଂଗ୍ରେସକୁ ଶାଣିତ ଅନ୍ଦାଜରେ କହିଛନ୍ତି ସୋନିଆ ଗାନ୍ଧୀଙ୍କ ଦୁଇଟି ମୁଖ୍ୟ ଚିନ୍ତା ରହିଛି । ପୁଅ ରାହୁଲ ଗାନ୍ଧୀଙ୍କୁ ସେଟ କରିବାକୁ ଓ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ଉପହାର ଦେବାକୁ ନେଇ ସବୁଠୁ ଅଧିକ ଚିନ୍ତିତ । ତେଣୁ ବିରୋଧୀ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ଏକ ନୂଆ ରଣନୀତି ସହ ଗୃହକୁ ଓହ୍ଲାଇଛି । ଚର୍ଚ୍ଚାଆରମ୍ଭ ହେବା ମାତ୍ରକେ ପ୍ରହ୍ଲାଦ ଯୋଶୀ ରାହୁଲଙ୍କ ଭାଣଷ ଦାବି କରି ଜୋରଦାର ହଙ୍ଗାମା କରିଥିଲେ ।

ଲୋକସଭାରେ ସରକାରଙ୍କ ସାଂସଦଙ୍କ ସଂଖ୍ୟା ବିରୋଧୀଙ୍କ ସଂଖ୍ୟା ତୁଳନାରେ ଢେର ଅଧିକ ରହିଛି । ବିତର୍କ ପାଇଁ ଉଭୟ ସଂସଦରେ ନବୀନ, ଜଗନଙ୍କ ଭଳି ବିପଦ ବେଳର ବନ୍ଧୁ ରହିଛନ୍ତି । ଏବେ ପ୍ରଶ୍ନ ଉଠୁଥିବ ବିରୋଧୀ ଯଦି ଜାଣିଛନ୍ତି ତାଙ୍କ ପାଖରେ ସଂଖ୍ୟା କମ୍ ତାହେଲେ ଏଭଳି ପ୍ରସ୍ତାବ ଆସିଲା କାହିଁକି ? ୨୦୨୪ ସାଧାରଣ ନର୍ବାଚନ ପାଇଁ ରାଜନୈତିକ ଦଳ ପାଗ ଭିଡିବା ଆରମ୍ଭ କରିଛନ୍ତି । ଆଉ ଏହାରି ଭିତରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ନେଇ ପଲ୍ଲୀରୁ ଦିଲ୍ଲୀ ତେଜିଛି । ଅଗଷ୍ଟ ୮ ଓ ୯ ତାରିଖ ପ୍ରସ୍ତାବ ଉପରେ ଆଲୋଚନା ହେବ ଓ ୧୦ ତାରିଖରେ ଗୃହରେ ବିବୃତି ରଖିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।