ଯାତ୍ରା ମଞ୍ଚରେ ହେବନି ଅଶ୍ଲୀଳ ଡ୍ୟାନ୍ସ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର

96

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ସଂସ୍କୃତି ବିଭାଗର ଏଭଳି ଚିଠିକୁ ନେଇ ଆପତ୍ତି ଉଠାଇଛନ୍ତି କିଛି ଯାତ୍ରା କଳାକାର । ତେଣୁ ପ୍ରଶ୍ନ ଉଠୁଛି, ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ? ଏଥିପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଆବଶ୍ୟକ ନୁହେଁ କି ? ଆଲୋଚନା, ବିତର୍କ ନ କରି ଏଭଳି କଟକଣା ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ?

  • ଯାତ୍ରାରେ ଅଶ୍ଳୀଳତାକୁ ନା’
  • ଦ୍ୱି-ଅର୍ଥବୋଧକ ସଂଳାପ ଉପରେ ରୋକ୍
  • ଲକ୍ଷ୍ମଣ ରେଖା ଟାଣିଲା ସଂସ୍କୃତି ବିଭାଗ

ମେଲୋଡ଼ି ନା’ରେ ଆଉ ଚାଲିବନି ଅଶ୍ଳୀଳତା । ଅଭିନୟ ନା’ରେ ଦ୍ୱି-ଅର୍ଥବୋଧକ ସଂଳାପକୁ ମିଳିବନି ପ୍ରଶୟ । କାରଣ ଯାତ୍ରା ଓ ମେଲୋଡ଼ିରେ ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ଅଭିନୟ ଏବଂ ଦ୍ୱି-ଅର୍ଥବୋଧକ ସଂଳାପ ବନ୍ଦ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯାତ୍ରାରେ ଅଶ୍ଳୀଳତାକୁ ନା’

  • ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ
  • ଏବେ ଅଶ୍ଳୀଳ ନୃତ୍ୟ, ଦ୍ୱି-ଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି
  • ଏହାଦ୍ୱାରା ପରିବାର ସହ ନାଟକ ଦେଖିବା ସମ୍ଭବ ହେଉନାହିଁ
  • ଏହା ପ୍ରଭାବରେ ଯୁବକ, ଯୁବତୀ ବିପଥଗାମୀ ହେଉଛନ୍ତି
  • ବିଭିନ୍ନ ପ୍ରକାର ଅପରାଧରେ ମଧ୍ୟ ସଂପୃକ୍ତ ହେଉଛନ୍ତି
  • ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି
  • ଜିଲ୍ଲାରେ ଯାତ୍ରା ଓ ମେଲୋଡି ପରିବେଷଣ ଅନୁମତି ବେଳେ ସର୍ତ୍ତ ସଂପର୍କରେ ଲେଖାଯିବ
  • ବ୍ୟତିକ୍ରମ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ତେବେ ସଂସ୍କୃତି ବିଭାଗର ଏଭଳି ଚିଠିକୁ ନେଇ ଆପତ୍ତି ଉଠାଇଛନ୍ତି କିଛି ଯାତ୍ରା କଳାକାର । ସେମାନଙ୍କର କହିବା କଥା ଅଶ୍ଳୀଳତାକୁ କେହି ପ୍ରସୟ ଦେବେ ନାହିଁ । କିନ୍ତୁ ପ୍ରଶ୍ନ ହେଉଛି, ଅଶ୍ଳୀଳତାର ସୀମା ନିର୍ଦ୍ଧାରଣ କରିବ କିଏ? ଶ୍ଲୀଳ ଓ ଅଶ୍ଲୀଳର ଭିତରେ ଲକ୍ଷ୍ମଣରେଖା ଟାଣିବ କିଏ?