ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ? ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଖବର, ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ।

736

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ଠାରୁ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ ? ଏମିତି ହିଁ କିଛି ଖବର ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ଏମିତି ଏକ ଖବର, ଯାହାକୁ ଯିଏବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଭାଇରାଲ ହେଉଥିବା ଖବରରେ କୁହାଯାଉଛି, ଦୁଇ ହଜାର ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ । ଏବଂ ଏହା ବଦଳରେ ପୁଣି ଥରେ ୧୦୦୦ ଟଙ୍କିଆ ନୋଟ୍ ଜାରି କରାଯାଇପାରେ ।

ତେବେ ବଡ ପ୍ରଶ୍ନ ଉଠୁଛି, ଭାଇରାଲ ହେଉଥିବା ଏହି ଖବରରେ କେତେ ସତ୍ୟତା ରହିଛି । ତେବେ ଏହି ମାମଲା ଏବେ ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବାର କୌଣସି ଯୋଜନା ନାହିଁ । ଏବଂ ସୋସିଆଲ୍ ମିଡିଆରେ ଏସମ୍ବନ୍ଧିତ ଭାଇରାଲ ଖବରକୁ ସେ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି, ଏବେ ବଜାରରେ ଯେମିତି ୨୦୦୦ ଟଙ୍କିଆ ନୋଟ୍ ଚାଲିଛି, ଆଗକୁ ମଧ୍ୟ ସେମିତି ଜାରି ରହିବ ।

ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ସ୍ପଷ୍ଟ ହୋଇଯାଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ ଅଟେ । ଆଉ ଏବେ ନା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବ ନା ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବ ।

କଳାଧନ କାରବାର ରୋକିବାକୁ ଏବଂ ଡିଜିଟାଲ୍ ପେମେଣ୍ଟକୁ ବଢାଇବା ପାଇଁ ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରାୟନର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିଲା । ଆଉ ଏହା ସହ ଜାରି କରାଯାଇଥିଲା ଗୋଲାପୀ ରଙ୍ଗର ନୂଆ ୨୦୦୦ ଟଙ୍କିଆ ନୋଟ୍ ।