୫ ବର୍ଷରେ ଦେଶର ୧୩ କୋଟି ଲୋକ ଦାରିଦ୍ର୍ୟ ମୁକ୍ତ : ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ; ସବୁଠୁ ଆଗରେ ଉତ୍ତର ପ୍ରଦେଶ

203

କନକ ବ୍ୟୁରୋ : ୫ ବର୍ଷରେ ଦାରିଦ୍ର୍ୟରୁ ମୁକୁଳିଲେ ୧୩ କୋଟି ଲୋକ । ୨୦୧୫ରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ପ୍ରାୟ ସାଢେ ୧୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି । ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଓଡ଼ିଶା ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ହାର ଦ୍ରୁତତମ ରହିଛି । ରାଜ୍ୟ ଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୩ କୋଟି ୪୩ ଲକ୍ଷ ଲୋକ ଦାରିଦ୍ର୍ୟରୁ ବାହାରକୁ ଆସିଥିବା ନୀତି ଆୟୋଗ ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ଓଡ଼ିଶାର ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି ବୋଲି ନୀତି ଆୟୋଗ ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯ ଦଶମିକ ୩୪ ପ୍ରତିଶତରୁ ୧୫ ଦଶମିକ ୮୬ ପ୍ରତିଶତକୁ ହ୍ରାସ ପାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରିରେ ଦାରିଦ୍ର୍ୟହାର ରାଜ୍ୟରେ ସର୍ବାଧିକ ୪୫ ଦଶମିକ ୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩ ଦଶମିକ ୨୯ ପ୍ରତିଶତ ରହିଛି ।

ରିପୋର୍ଟ ଅନୁସାରେ ଦାରିଦ୍ର୍ୟର ବିଭିନ୍ନ ଦିଗକୁ ଦେଖିଲେ ୨୦୧୫-୧୬ ଅବଧିରେ ଦେଶରେ ଦାରିଦ୍ର୍ୟହାର ୨୪ ଦଶମିକ ୮୫ ପ୍ରତିଶତ ରହିଥିଲା । ଏହା ୨୦୧୯-୨୦ ଅବଧିରେ ହ୍ରାସ ପାଇ ୧୪ ଦଶମିକ ୯୬ ପ୍ରତିଶତ ରହିଛି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ ରହିଛି । ଗ୍ରାମାଞ୍ଚଳରେ ଗରିବୀ ୩୨ ଦଶମିକ ୯୫ରୁ ଖସି ୧୯ ଦଶମିକ ୨୮ ରହିଛି । ସେହିପରି ସହରାଞ୍ଚଳରେଏହା ୮ ଦଶମିକ ୬୫ରୁ ୫ ଦଶମିକ ୨୭କୁ ଖସି ଆସିଛି ।