କେଦାରନାଥ ମନ୍ଦିର ପ୍ରାଙ୍ଗଣରେ ମୋବାଇଲ ମନା। ଭିଡିଓଗ୍ରାଫି,ଫଟୋଗ୍ରାଫି ଉପରେ ଲାଗିଲା ରୋକ

350

କନକ ବ୍ୟୁରୋ: ବାବା କେଦାରନାଥଙ୍କ ମନ୍ଦିରରେ ବ୍ୟାନ ହେଲା ମୋବାଇଲ । ଏଣିକି ମନ୍ଦିର ପରିସରରେ ଫଟୋ ଉଠାଇବା ଓ ଭିଡିଓ ବନାଇବା ଉପରେ ଲାଗିଛି କଟକଣା । କେଦାରନାଥ-ବଦ୍ରିନାଥ ସମିତି ଏନେଇ ନୋଟିସ ଜାରିକରିଛି । କିଛି ଦିନ ପୂର୍ବରୁ ଜଣେ ମହିଳା ବ୍ଲଗରଙ୍କ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ମନ୍ଦିର ପରିସରରେ ନିଜ ପ୍ରେମିକଙ୍କ ବିବାହ ପାଇଁ ପ୍ରପୋଜ କରୁଥିବା ଭିଡିଓ ଯେତିକି ଭାଇରାଲ ହୋଇଥିଲା ସେତିକି ବିବାଦ ମଧ୍ୟଦେଖାଦେଇଥିଲା । ବାରମ୍ବାର କେଦାରନାଥ ପୀଠରୁ ବିବାଦୀୟ ଭିଡ଼ିଓ ଓ ଫଟୋ ସାମ୍ନାକୁ ଆସିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ମନ୍ଦିର ବ୍ୟବସ୍ଥା ପାଇଁ ଦାୟିତ୍ୱରେ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଏନେଇ ମନ୍ଦିର ପରିସରରେ ଭିନ୍ନ ଭିନ୍ନ ସ୍ଥାନରେ ବୋର୍ଡ଼ ଲଗାଇଛନ୍ତି ।

ମନ୍ଦିର ପରିସରରେ ମୋବାଇଲ ଫୋନ ନେଇ ପ୍ରବେଶ ନ କରିବା, ମନ୍ଦିର ଭିତରେ କୈାଣସି ଫଟୋ ଉଠାଇବା କିମ୍ବା ଭିଡିଓ ସମ୍ପୂର୍ଣ୍ଣ ବର୍ଜନ ଏବଂ ଆପଣ ସିସିଟିଭି ନଜରରେ ଅଛନ୍ତି ବୋଲି ବୋର୍ଡ଼ ଲଗାଯାଇଛି । ନିୟମ ବିରୁଦ୍ଧରେ ଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ନିକଟରେ କେଦାରନାଥ ମନ୍ଦିର ସାମ୍ନାରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କୁ ନାଟକୀୟ ଢଙ୍ଗରେ ପ୍ରପୋଜ କରିବାର ଭିଡ଼ିଓ ଭାଇରାଲ ହେବା ସହ ଅନ୍ୟ ବହୁ ଭିଡ଼ିଓ ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ମଧ୍ୟ କେଦାରନାଥ ଯିବା ପଛରେ ରିଲ୍ସର ନିଶା ଏକ କାରଣ ବୋଲି ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ମନ୍ଦିରକୁ ସଠିକ ପୋଷାକ ପିନ୍ଧି ଆସିବାକୁ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ।