କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ

80

କନକ ବ୍ୟୁରୋ : କେରଳରେ ଜାରି ରହିଛି ନିପା ଭାଇରସ ଆତଙ୍କ । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିଛି । କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ରେ ଜଣେ ୪୭ ବର୍ଷୀୟ ରୋଗୀର ପ୍ରଥମେ ମୃତ୍ୟୁ ହୋଇଥିଲା । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି । ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି । ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ ।

କେରଳରେ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଝିକୋଡରେ ପ୍ରଭାବିତ ଗ୍ରାମ ପଂଚୟତକୁ ଏକ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । ୨୮୭ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗାଯୋଗ ତାଲିକାରେ ଅଛନ୍ତି । ଚାରି ଜଣ ବିପଦପୂର୍ଣ୍ଣ ବ୍ୟକ୍ତିଙ୍କୁ ଏକ ଘରୋଇ ଡାକ୍ତରଖାନାରେ ରଖାଯାଇଛି ଏବଂ ରୋଗୀଙ୍କ ସହ ଯୋଗାଯୋଗ କରିଥିବା ୧୭ ଜଣଙ୍କୁ କୋଝିକୋଡ ମେଡିକାଲ କଲେଜରେ ନଜର ରଖାଯାଇଛି । ୨୦୧୮ ପରଠାରୁ ଏହା ଚତୁର୍ଥ ଥର ପାଇଁ କେରଳରେ ନିପା ସଂକ୍ରମଣ ବୃଦ୍ଧି ପାଇଛି ।