କାବୁଲ ବିମାନବନ୍ଦର ପରେ ଏବେ କଜାକିସ୍ତାନ ସେନା ଗୋଦାମରେ ବଡଧରଣର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ

166

କନକ ବ୍ୟୁରୋ : ଏବେ ଆତଙ୍କବାଦକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଗତକାଲି କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣ ବିଶ୍ୱ ନେତୃତ୍ୱଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହାରି ଭିତରେ ପୁଣି ଏକ ବିସ୍ଫୋରଣର ଖବର ଆସିଛି । କଜାକିସ୍ତାନର ତରାଜ ସହରରେ ଥିବା ସେନା ଗୋଦାମରେ ବିସ୍ଫୋରଣ ଘଟି ୯ ଜଣ ଲୋକଙ୍କ ଜୀବନ ଯାଇଛି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଏଫପି ତରଫରୁ ସୂଚନା ଦିଆଯାଇଛି ।

କହିରଖୁ କି ଗତକାଲି ରାତି ୭.୩୦ ରୁ ୮ଟା ମଧ୍ୟରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ଲଗାତର ଭାବେ ଦୁଇଟି ଭୟାନକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ତାଲିବାନ କହିଥିଲା । ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ମୋଟ ୧୦୩ ଜଣ ନାଗରିକଙ୍କ ଜୀବନ ଯାଇଛି । ଏହାକୁ ନେଇ ଏବେ ଆଫଗାନରେ ରହୁଥବା ବିଭିନ୍ନ ଦେଶର ନାଗରିକମାନଙ୍କୁ କିଭଳି ନିଜ ଦେଶକୁ ଫେରାଇ ଅଣାଯାଇ ପାରିବ ତାହା ଉପରେ ଆଲୋଚନା ଚାଲିଛି । ଠିକ ଏତିକି ବେଳେ କଜାକିସ୍ତାନ ସେନା ଗୋଦାମରେ ବିସ୍ଫୋରଣ ଘଟିବା ଓ ୯ ଜଣଙ୍କ ଜୀବନ ଯିବା ଭଳି ଦୁଖଦ ଖବର ଆସିଛି ।