ଅହମଦାବାଦରେ ହିଟ୍ ଆଣ୍ଡ ରନ୍: ଦୁର୍ଘଟଣା ଦେଖୁଥିିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଜାଗୁଆର କାର, ଘଟଣା ସ୍ଥଳରେ ୯ ଜଣଙ୍କ ମୃତ୍ୟୁ

541

କନକ ବ୍ୟୁରୋ: ଦୁର୍ଘଟଣା ଦେଖିବା ବେଳେ ଦୁର୍ଘଟଣା । ଗୁଜରାଟ ଅହମଦାବାଦରେ ହିଟ୍ ଆଣ୍ଡ ରନ୍ର ଏକ ମାମଲା ସାମ୍ନାକୁ ଆସିଛି । ସରଖେଜ-ଗାନ୍ଧୀନଗର ଜାତୀୟ ରାଜପଥରେ ଥିବା ଇସ୍କନ ଫ୍ଲାଏଓଭରରେ ଘଟିଥିବା ଏକ ଦୁର୍ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏତିକି ବେଳେ ଏକ ଜାଗୁଆର ଗାଡି ଆସି ଭିଡ଼ ଉପରେ ଚଢ଼ିଯିବା ପରେ ୯ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୧୦ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ୧୨ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ୯ଜଣଙ୍କୁ ମୃତ ଘୋଷିତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଓ ହୋମଗର୍ଡ ଥିବା ଜଣାପଡିଛି । ଇସ୍କନ ଫ୍ଲାଏଓଭରରେ ଥାର ଓ ଡମ୍ପର ଭିତରେ ଦୁର୍ଘଟଣା ଘଟିଥିଲା । ଯେଉଁଥିପାଇଁ ହୋମଗାର୍ଡ ଓ କନଷ୍ଟେବଳ ଦୁର୍ଘଟଣାସ୍ଥଳରେ ପହଂଚିଥିଲେ । ଏବଂ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଆହତଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଜାଗୁଆର ଗାଡି ଅସି ଲୋକଙ୍କ ଉପରେ ମାଡି ଯାଇଥିଲା । ଦୁଇ ଦୁଇଟି ବଡ଼ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ବେଳେ ଇସ୍କନ ଫ୍ଲାଏଓଭରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।