ଖାଉଟିଙ୍କ ପାଇଁ ଖୁସି ଖବର । ୭୦ ଟଙ୍କା ହେଲା ଟମାଟୋ ଦାମ୍ । ସବସିଡି ଟମାଟୋ ଦାମ ପୁଣି କମ କଲେ କେନ୍ଦ୍ର ସରକାର ।

2,689

କନକ ବ୍ୟୁରୋ: ସାଧାରଣ ଖାଉଟିଟିଏ ପାଇଁ ଆସିଲା ଖୁସି । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

କେନ୍ଦ୍ର ସରକାର ଗତ ସପ୍ତାହର ଶୁକ୍ରବାରଠାରୁ ରିହାତି ଦରରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲେ । ବଜାରରେ ଟମୋଟୋର ବଢୁଥିବା ଦାମକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ତରଫରୁ ସହକାରୀ ସଂସ୍ଥା ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ୍ ଏବଂ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ୍ ଲୋକଙ୍କ ପାଖରେ ରିହାତି ଦରରେ ଟମାଟୋ ପହଞ୍ଚାଇବା ସହ ଏହାକୁ କମ୍ ଦାମରେ ବିକ୍ରି କରୁଥିଲେ ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଟମାଟୋ କେଜି ପିଛା ୮୦ ଟଙ୍କାରେ ବିକ୍ରି କରାଯାଉଥିଲା । ଏବେ ଟମାଟୋ ଦାମ ବଜାରରେ କମ୍ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଟମାଟୋ ଦାମ କମ୍ କରିଛନ୍ତି । ଏଣିକି ୭୦ ଟଙ୍କାରେ ଏହି ସବସିଡି ଟମାଟୋ ମିଳିପାରିବ ।

ସୂଚନାଯୋଗ୍ୟ ଯେ, ଏନସିସିଏଫ୍ ଏବଂ ଏନଏଏଫଇଡି ଦ୍ୱାରା କିଣାଯାଇଥିବା ଟମାଟୋକୁ ପ୍ରଥମେ ରିହାତି ଦରରେ ୯୦ ଟଙ୍କା ପ୍ରତି କେଜି ବିକ୍ରି କରାଯାଇଥିଲା । ଏହାପରେ ଜୁଲାଇ ୧୬ ତାରିଖରୁ ଏହାକୁ କମେଇ ଦିଆଯାଇ କେଜି ପିଛା ୮୦ ଟଙ୍କା କରାଯାଇଥିଲା । ବର୍ତ୍ତମାନ ଏହାକୁ ୭୦ ଟଙ୍କାକୁ କମେଇ ଦିଆଯାଇଛି ।