ଏନଏସି ଘୋଷଣା ଥିଲା କି ଧୂଆଁବାଣ? କାଗଜପତ୍ରରେ ନୁହେଁ, ମୁହଁରେ ମୁହଁରେ ଘୋଷଣା କରିଥିଲା ବିଜେଡି ସରକାର । ନୂଆ ସରକାରଙ୍କ ନିଷ୍ପତି ଉପରେ ଝୁଲିଲା ଭାଗ୍ୟ

1,307

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନବୀନ ସରକାର ଅନେକ ବଡ ଘୋଷଣା କରିଥିଲେ । ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ବିଭିନ୍ନ ବର୍ଗଙ୍କ ପାଇଁ ଅନେକ କିଛି ଘୋଷଣା ହେଉଥିଲା । କିନ୍ତୁ ସବୁଠାରୁ ବଡ ଘୋଷଣା ଥିଲା ନୂଆ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ।

  • ଅନିଶ୍ଚିତତାରେ ନୂଆ ଏନଏସି ମାନ୍ୟତା
  • ରେକର୍ଡରେ ନାହିଁ, ଘୋଷଣା କରିଥିଲା ବିଜେଡି
  • କାର୍ଯ୍ୟକାରୀ କରିବେ କି ନୂଆ ସରକାର?

୨୪ ଫେବୃଆରୀ ୨୦୨୪ରେ ନବୀନ ପଟ୍ଟନାୟକ ଘୋଷଣା କଲେ ଯେ, ରାଜ୍ୟର ୩୪ ଟି ନୂଆ ଏନଏସି ଗଠନ କରାଗଲା । ଏଥିସହିତ ୫ଟି ଏନଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ କରାଗଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ, ଆଗରପଡା, ବେଲପଡା, ସଇଁତଳା, ପାଣିକୋଇଲି ଭଳି ୩୪ଟି ନୂଆ ଏନଏସି ଘୋଷଣା ହୋଇଥିଲା । ଯାହାକୁ ନେଇ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିବା ସହିତ ବଡ ସେଲିବ୍ରେସନ ମଧ୍ୟ କରିଥିଲା । ଏମିତି କି ନବୀନଙ୍କୁ ଧନ୍ୟବାଦ ଦେବାକୁ ନବୀନ ନିବାସରେ ଲମ୍ବା ଲାଇନ ସେତେବେଳେ ଦେଖିବାକୁ ମିଳିଥିଲା ।

ଏହାପରେ ୨୫ ଫେବୃଆରୀ ୨୦୨୪ରେ ଅନ୍ୟ ଅଞ୍ଚଳକୁ ଏନଏସି ମାନ୍ୟତା ନ ମିଳିବାରୁ ଅସନ୍ତୋଷ ତୀବ୍ର ହୋଇଥିଲା । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରିସ୍କ ନ ନେଇ ପୁଣି ଆଉ କିଛି ଅଞ୍ଚଳ ଯଥା- ବୀରମହାରାଜପୁର, ଖଇରା ,ଭଞ୍ଜନଗର ଭଳି କିଛି ବ୍ଲକକୁ ଏନଏସି ମାନ୍ୟତା ନେଇ ଘୋଷଣା ହେଲା । କିନ୍ତୁ ଏନଏସି ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଛି । ପାଦେ ବି ଆଗେଇ ନାହିଁ । କାରଣ ନୂଆ ଏନଏସି ଗଠନ ନେଇ କୌଣସି ରେକର୍ଡ ନାହିଁ ବୋଲି କହିଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ।

ତେବେ ଯଦି ସରକାର ପୂର୍ବ ସରକାରର ନିଷ୍ପତ୍ତିକୁ କାଏମ ନ ରଖନ୍ତି, ଏହା ସ୍ଥାନୀୟ ଅଞ୍ଚଳରେ ପୁଣି ଏକ ଅସନ୍ତୋଷକୁ ଜନ୍ମ ଦେଇପାରେ । ଆଉ ନିଷ୍ପତ୍ତିକୁ କାର୍ଯ୍ୟକାରୀ କଲେ ବିଭିନ୍ନ ପ୍ରକ୍ରିୟା ଓ ଆର୍ଥିକ ବୋଝ ବି ପଡିବ । ତେଣୁ ଏନଏସି ଗଠନ ନୂଆ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଏବେ ନୂଆ ସରକାର ଆସିବା ପରେ ଏନଏନସି ଗଠନ ହେବ ନା ପୂର୍ବ ନିଷ୍ପତି ଶୀତଳଭଣ୍ଡାରୁ ଚାଲିଯିବ, ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏନଏସି ଗଠନ ତତକାଳୀନ ସରକାରଙ୍କ ନିର୍ବାଚନୀ ଧୂଆଁବାଣ ଥିଲା । ତେବେ ଆଲୋଚନା ପରେ ନୂଆ ସରକାର ପୂର୍ବ ନିଷ୍ପତିକୁ କାଏମ ରଖିବେ ନା କିଛି ବଡ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।