ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ

203

କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ଅପରାଧ ଓ ସାମାଜିକ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ବ୍ୟବସ୍ଥା । ପ୍ରଥମ ଥର ପାଇଁ ବିବାହ, ଚାକିରି ଓ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଆଧାରରେ ଏବଂ ମିଥ୍ୟା ପରିଚୟ ଆଧାରରେ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯିବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି । ୩ଟି ବିଲରେ ଏମିତି କିଛି ଆଇନ ଆସିବାକୁ ଯାଉଛି ଯାହା ନିଦ୍ଧିଷ୍ଟଭାବେ ମହିଳାଙ୍କ ପାଇଁ ରହିଛି ।

ପୀଡ଼ିତାଙ୍କ ବୟାନ ବାଧ୍ୟତାମୂଳ:ନୂଆ ବିଲରେ ଯୌନ ହିଂସା ମାମଲାରେ ପୀଡ଼ିତାଙ୍କ ବୟାନ ବାଧ୍ୟତାମୂଳକ କରାଯାଇଛି । ଯୌନ ନିର୍ଯ୍ୟାତନା ମାମଲାରେ ବୟାନର ଭିଡିଓ ରେକର୍ଡ଼ିଂ ମଧ୍ୟ ଅନିବାର୍ଯ୍ୟ କରାଯାଇଛି । ଅଭିଯୋଗକାରୀଙ୍କୁ ୯୦ଦିନରେ ଓ ତାପରେ ପ୍ରତି ୧୫ଦିନରେ ତଦନ୍ତର ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ପୁଲିସ ବାଧ୍ୟ ।

ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ: ନୂଆ ବିଲ୍ରେ ମହିଳା ବିରୋଧୀ ଅପରାଧିକ ଓ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଅନେକ ବ୍ୟବସ୍ଥା ରହିଛି । ଗଣଦୁଷ୍କର୍ମ ମାମଲାରେ ୨୦ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଏବଂ ନାବାଳିିକା ଦୁର୍ଷ୍କମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଦୁଷ୍କର୍ମ ଆଇନରେ ଏକ ନୂଆ ଧାରା ଯୋଡ଼ାଯାଇଛି । ବିରୋଧ ନ କରିବା ଅର୍ଥ ସହମତ ନୁହେଁ ବୋଲି ଦର୍ଶାଯାଇଛି ।

ମିଛ ପ୍ରତିଶ୍ରୁତିରେ ବାହାଘର ଅପରାଧ ଅଟେ: ବିବାହ, ରୋଜଗାର, ଚାକିରି ଓ ପଦୋନ୍ନତି ଆଦି ନେଇ ଭୁଲ କଥା କହି ବାହା ହେଉଥିଲେ, ତାହା ଗୁୁରୁତର ଅପରାଧ ବୋଲି ବିବେଚନା କରାଯିବ । ଏଥି ନିମନ୍ତେ ୨୦ବର୍ଷ କାରାଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ବି ଚାଲିବ ଟ୍ରାଏଲ:ଅନେକ ମାମଲାରେ ଅଭିଯୁକ୍ତଙ୍କ ଅନୁପସ୍ଥିତି ଯୋଗୁଁ କୋର୍ଟରେ ଟ୍ରାଏଲ ଚାଲିପାରୁନାହିଁ । ହେଲେ ଏବେ ଟ୍ରାଏଲରେ ଅନୁପସ୍ଥିତ ରହୁଥିବା ଅପରାଧୀଙ୍କ ବିରୋଧରେ ଟ୍ରାଏଲ ଚାଲିପାରିବ । ଦଣ୍ଡବିଧାନ ମଧ୍ୟ କରାଯାଇପାରିବ ।

ନାବାଳିକା ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ: ନାବାଳିକାଙ୍କ ସହ ଅପରାଧ ହେଲେ ମୃତ୍ୟୁଦଣ୍ଡ, ଭିଡ ହିଂସା ପାଇଁ ମଧ୍ୟ ୭ବର୍ଷ ଜେଲ, ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି ।

ସାବାଡ଼ ହେବେ ଚେନ୍ ଲୁଟେରା: ମହିଳାଙ୍କଠାରୁ ଚେନ, ଅନ୍ୟାନ୍ୟ ଅଳଙ୍କାର ଛଡାଇ ନେଉଥିବା ଅପରାଧୀଙ୍କ ପାଇଁ ମଧ୍ୟ ଦଣ୍ଡ ବିଧାନ କରାଯାଇଛି । ଘଟଣାରେ ଯଦି ପୀଡ଼ିତା ଭିନ୍ନକ୍ଷମ ଓ ବ୍ରେନ ଡେଡ଼୍ ହେଲେ, ତେବେ ଦୋଷୀଙ୍କୁ ୧୦ବର୍ଷ ବା ଆଜୀବନ କାରାଦଣ୍ଡ ବ୍ୟବସ୍ଥା କରାଯାଇଛି

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଏହି ନୂଆ ଆଇନରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅର୍ନ୍ତଭୁକ୍ତ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଧେୟକ ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ ୨୦୨୩ ସଂସଦରେ ଆଗତ ହୋଇଛି । ଏବେ ଏହା ସଂସଦର ସ୍ଥାୟୀ କମିଟିକୁ ପଠାଯିବ । ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହୋଇଯିବ । ଫଳରେ ଭାରତୀୟ ନ୍ୟାୟ ସଂହିତାରେ ଏକ ବଡ ଧରଣର ପରିବର୍ତନ ହେବ ।