ନବୀନଙ୍କ ନୂଆ ଟିମ: ରାଷ୍ଟ୍ର୍ରମନ୍ତ୍ରୀ ଭାବେ ଶପଥ ନେଲେ ରିତା ସାହୁ । ସମ୍ଭାଳିବେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ। 

180

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳା ଚେହେରାଙ୍କୁ ଅଧିକ ସୁଯୋଗ ମିଳିଛି । ରାଷ୍ଟ୍ର୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପୁର ବିଧାୟକ ରିତା ସାହୁ । ତାଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଦାୟିତ୍ୱ ମିଳିଛି । ୨୦୧୯ରେ ସେ ବିଜେପୁରରୁ ଦ୍ୱିତୀୟ ଥର ବିଧାୟିକା ହୋଇଥିଲେ । ଏହା ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ପ୍ରଥମ ଥର ବିଜୟୀ ହୋଇ ସେ ବିଧାନସଭାକୁ ଆସିଥିଲେ । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜୟୀ ହେଇଥିଲେ ତେବେ ପରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପୁଣି ଥରେ ଜିତି ବିଧାୟିକା ହୋଇଥିଲେ ।

ଗତ ପଞ୍ଚାୟତ ଭୋଟରେ ବିଜେଡିର ପ୍ରଦର୍ଶନ ବିଜେପୁରରେ ଭଲ ଥିଲା । ଏହା ସହ ଦଳ ପ୍ରତି ଅନୁଗତ୍ୟ ଏବଂ ମହିଳା ଚେହେରା ଭାବେ ସେ ନବୀନଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ଗତ ୩ ବର୍ଷ ସେ ବିଧାୟିକା ଭାବେ କାମ କରୁଥିବା ବେଳେ ବର୍ତ୍ତମାନ ମନ୍ତ୍ରୀ ଭାବେ କାମ କରିବେ । ପୂର୍ବରୁ ଏହି ବିଭାଗର ଦାୟିତ୍ୱ ପଦ୍ମିନୀ ଦିଆନଙ୍କ ପାଖରେ ଥିବା ବେଳେ ରିତା ଏହି ଦାୟିତ୍ୱ ନେବେ । ବରଗଡ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରିତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିଲା । ଏହି ଚ୍ୟାଲେଞ୍ଜ ସହ ସେ କେଉଁଭଳି କାମ କରିବା ତା ଉପରେ ମଧ୍ୟ ନଜର ରହିବ ।