କେମିତି ହେବ ଓମିକ୍ରନର ମୁକାବିଲା? ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ମନ୍ତ୍ର ।

354

କନକ ବ୍ୟୁରୋ :  ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲାଣି । ତେବେ ଓମିକ୍ରନ ଆହୁରି କାୟା ମେଲାଇବା ପୂର୍ବରୁ ଏହାର ମୁକାବିଲା ପାଇଁ ଚିକିତ୍ସା ବ୍ୟବସ୍ଥାକୁ କ୍ରୀୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଓମିକ୍ରନ ମୁକାବିଲା ପାଇଁ ହେଉଥିବା ପ୍ରସ୍ତୁତିର ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତିକୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନବୀନ କହିଛନ୍ତି, ବିଶ୍ୱରେ ଓମିକ୍ରନ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି ମାମଲା ଦେଖାଦେଇଛି । ଆଗାମୀ ଦିନରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ସମୀକ୍ଷା ପରେ ନବୀନ ନିର୍ଦ୍ଦେଶ ଦେବା ସହ କହିଛନ୍ତି,

• ଟୀକାକରଣକୁ ତ୍ୱରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଅଭିଯାନ କରାଯାଉ ।

• ଦ୍ୱିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ୱାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ

• ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।

• ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ୱିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା,  ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ ।

• ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ ।

• ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।

• ହସ୍‌ପିଟାଲ ଗୁଡିକରେ ଅକ୍ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।

ନୂଆ ଭାରିଏଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ଏହାସହ ଜନସାଧାରଣଙ୍କୁ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିଭଳି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ ଶର୍ମା କହିଛନ୍ତି ଯେ, ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍‌ସିଜେନ ପାଇଁ ୮୨ଟି PSA Plant  ଓ ୧୫ଟି LMO Plant କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍‌ସିଜେନ୍‌ର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ସେହିପରି କୋଭିଡ ହସ୍‌ପିଟାଲ ଗୁଡିକରେ ୬୬୮୪ଟି ବେଡ ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ବେଡ୍‌ ପ୍ରସ୍ତୁତ ହୋଇ ରହିଛି ।