ବିହାର ଗୟାରେ ମୃତ ଝିଅ ମୁହଁରେ ନିଆଁ ଦେଲା ମାଆ। ଶ୍ୱଶର ଘର ହତ୍ୟା କରିଥିବା ଅଭିଯୋଗ।

118

କନକ ବ୍ୟୁରୋ: ଝିଅକୁ ମୁଖାଗ୍ନି ଦେଲା ମାଆ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ବିହାରର ଗୟାରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଜଣେ ମାଆ ନିଜ ଝିଅର ହତ୍ୟା ପରେ ତାର ଅନ୍ତିମ ସଂସ୍କାର କରିଛନ୍ତି । ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ ଜଣେ ମାଆ ନିଜ ଝିଅକୁ ମୁଖାଗ୍ନି ଦେଇଛନ୍ତି । ଏଦୃଶ୍ୟ ଦେଖିବା ପରେ ଲୋକେ ଭାବବିହ୍ୱଳ ହୋଇଥିଲେ ।

ବିଷ୍ଣୁପଦ ଥାନା ଅଞ୍ଚଳର ଚାନ୍ଦ ଚୌରା ନିବାସୀ ହେମନ୍ତ ଚୌଧୁରୀଙ୍କ ପତ୍ନୀ ସପ୍ନା କୁମାରୀଙ୍କ ଗୁରୁବାର ଦେହାନ୍ତ ହୋଇଥିଲା । ପୋଷ୍ଟମର୍ଟମ ପରେ ଶବଦାହ ସଂସ୍କାର ପାଇଁ ମାଆ ଘର ଏବଂ ଶ୍ୱଶୁର ଘର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ଶୁକ୍ରବାର ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ମାଆଘର ଲୋକ ଦାହ ସଂସ୍କାର କରିଥିଲେ । ତେବେ ସପ୍ନାଙ୍କ ମାଆ ସାବିତ୍ରୀ ଦେବୀ ନିଜ ଝିଅ ମୁହଁରେ ମୁଖାଗ୍ନି ଦେଇଛନ୍ତି ।

ନବାଗଢି ଅଞ୍ଚଳର ବିଷ୍ଣୁ ଉପାଧ୍ୟାୟଙ୍କ ଝିଅ ସପ୍ନା ୬ ବର୍ଷ ତଳେ ବିବାହ କରିଥିଲୋ ଚାନ୍ଦ ଚୌରା ଅଞ୍ଚଳର ହେମନ୍ତ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ପତି-ପତ୍ନୀଙ୍କ ମଧ୍ୟରେ ଗତ ଦୁଇ ବର୍ଷ ଧରି ବିବାଦ ଜାରି ରହିଥିଲା । ତେବେ ଗୁରୁବାର ସପ୍ନାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ବେକ ସହ ଅନ୍ୟ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ମୃତକଙ୍କ ମାଆ ସାବିତ୍ରୀ ଦେବୀ ବିଷ୍ଣୁପଦ ଥାନାରେ ମାମଲା ରୁଜୁ କରିଛନ୍ତି । ମୃତକଙ୍କ ସ୍ୱାମୀ ହେମନ୍ତ ତାଙ୍କ ଭଉଣୀ କାରୋ ଦେବୀଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ସେମାନଙ୍କ ବିରୋଧରେ ହତ୍ୟାର ଅଭିଯୋଗ ଲାଗିଛି । ପୋଲିସ ହେମନ୍ତଙ୍କୁ ଗିରଫ କରି ତଦନ୍ତ ଜାରିରଖିଛି ।