ପାର୍ବଣ ଋତୁରେ ପୁଣି ଡରାଇଲାଣି କରୋନା , ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ

192

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଚିନ୍ତା ବଢାଇଲାଣି କରୋନା । ପ୍ରତି ଲହର ପରି ଏଥରକ ମଧ୍ୟ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନାର ଗୋଟିଏ ନୂଆ ପ୍ରଜାତି ଓ ଓମିକ୍ରନର ୨ଟି ଉପପ୍ରଜାତି ଚିହ୍ନଟ ହୋଇଛି । କରୋନାର ନୂଆ ପ୍ରଜାତି ଏକ୍ସବିବି ଅଥବା ନୂଆ ଭ୍ୟାରିଏଂଟର ନାମ ‘ଓମିକ୍ରନ ସ୍ପାନ’ ରହିଛି । ଯାହା ପ୍ରଥମେ ଚୀନର ମଙ୍ଗୋଲିୟାରେ ଚିହ୍ନଟ କରାଯାଇଥିଲା । ପରେ ୟୁଏସ, ୟୁକେ ଓ ଜର୍ମାନୀରେ ମଧ୍ୟ ଏଥିରେ ଆକ୍ରାନ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଓମିକ୍ରନର ଉପପ୍ରଜାତି ବିକ୍ୟୁ ୱାନ ଓ ବିକ୍ୟୁ-୨.୩.୨୦ର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ଏହା ପୂର୍ବରୁ ଚିହ୍ନଟ ପ୍ରଜାତି ବିଏ-୨.୭୫ ଓ ବିଜେ.ୱାନର ଭାଇରସର ସମିଶ୍ରଣ ଅଟେ ।

ସଂକ୍ରମିତ ଚିହ୍ନଟ ହେବା ପରେ ମୁମ୍ବାଇର ମ୍ୟୁନିସପାଲଟି ଆଡଭାଇଜରୀ ଜାରି କରିଛି । ପାର୍ବଣ ରୁତୁ ଚାଲିଥିବା ଯୋଗୁଁ ସର୍ତକ ରହିବାକୁ ବିଏମି ପକ୍ଷରୁ କୁହାଯାଉଛି ।  ଯଦି ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ଲଗାଇବାକୁ ପ୍ରସ୍ତୁତ ରହିଛି ସ୍ଥାନୀୟ ପ୍ରଶାସନ । କେବଳ ମହାରାଷ୍ଟ୍ର ନୁହେଁ କେରଳ ଓ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥିତିର ଲୋକମାନଙ୍କୁ ସର୍ତକ ରହିବା ସହ କରୋନାର ଦୁଇଟି ଡୋଜ ଟିକା ସହ ବୁଷ୍ଟର ଡୋଜ ନେବାକୁ ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାର୍ମଶ ଦେଇଛନ୍ତି ।

ଦୀପାବଳି ପୂର୍ବରୁ ଏବଂ ପରେ ପୂଜା ପାର୍ବଣ ପାଇଁ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଜମିବାରୁ କୋଭିଡ଼ ସଂଖ୍ୟା ବଢ଼ିପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।ଆଉ ଏଥିପାଇଁ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ସତର୍କ ସୂଚନା ସହ ଅନାବଶ୍ୟକ କାମରେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।