ବଙ୍ଗୋପସାଗରରେ ଲଘୁଚାପ, ସକ୍ରିୟ ହେଲା ମୌସୁମୀ ବାୟୁ । ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା । ୧୩ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

1,891

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ସକ୍ରିୟ ହୋଇଛି ମୌସୁମୀ ବାୟୁ । ଆଉ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁସବୁ ସ୍ଥାନରେ କିଛି ଦିନ ତଳେ ପ୍ରବଳ ଖରା ହେଉଥିଲା, ଏବେ ସେହି ସବୁ ସ୍ଥାନରେ ଅଧିକ ବର୍ଷା ହେଉଛି ।

  • ଖରାରେ ସିଝୁଥିଲା, ବର୍ଷାରେ ଭିଜିଲା
  • ଯେଉଁଠି ଅଧିକ ଖରା, ସେଇଠି ଅଧିକ ବର୍ଷା

ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଅସହ୍ୟ ଖରାରେ ରାଜ୍ୟର ଯେଉଁ ଅଞ୍ଚଳ ଅଧିକ ସିଝୁଥିଲା, ଏବେ ସେହି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯ମିମି ତୁଳନାରେ ୨୦୫% ଅଧିକ । ତେବେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୧୦୬.୩ମିମି ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାସହ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୬ ତାରିଖ ସକାଳ ସାଢ଼େ ୮ଟାରୁ ୨୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗୀର ସମ୍ବଲପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏଁ ଘୂର୍ଣ୍ଣିବଳୟ ବ୍ୟାପି ରହିଛି । ଯାହାର ପ୍ରଭାବ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ପାଇଁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା
  • ସହରାଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ
  • ମାଟି ଚାଳଘରର କାନ୍ଥ ପଡ଼ିବା ସମ୍ଭାବନା
  • ତଳୁଆ ଚାଷଜମିଗୁଡ଼ିକରେ ପାଣି ଜମି ରହିବା ଆଶଙ୍କା ରହିଛି

ତେଣୁ ଆବଶ୍ୟକ ପଦକ୍ଷେପ ନେବାକୁ ସୂଚନା ଦେଇଛି ପାଣିପାଗ କେନ୍ଦ୍ର