ତିନି ଦିନର ବର୍ଷାରେ ବନ୍ୟା ଭଳି ସ୍ଥିତି । ଧୋଇଗଲା ପୋଲ, ତଳିଆ ଅଞ୍ଚଳରେ ପଶିଲା ପାଣି

205

କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ବିଭିନ୍ନ ସ୍ଥାନରୁ ଆସିଛି ଅବ୍ୟବସ୍ଥାର ଚିତ୍ର । ପ୍ରବଳ ବର୍ଷା ଯୋଗୁଁ କେଉଁଠି ରାସ୍ତା ଧୋଇ ଯାଇଛି ତ ଆଉ କେଉଁଠି ପୋଲ ଉପରେ ଲହଡି ଭାଙ୍ଗୁଛି ପାଣି । ଆଉ କେଉଁଠି ସ୍କୁଲ ଭିତରେ ପାଣି ପଶିଯାଇଛି । ଏପଟେ ଦୈତନଗରୀ ଭୁବନେଶ୍ୱର ଓ କଟକ ସମେତ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ବିପର୍ଯ୍ୟସ୍ତ ହୋଇଛି ଜନଜୀବନ ।

  • ବର୍ଷା ଧୋଇ ଦେଲା ବୁଲାଣି ରାସ୍ତା
  • ସ୍କୁଲରେ ଲହଡ଼ି ଭାଙ୍ଗିଲା ପାଣି
  • ପୋଲ ଉପରେ ଚାଲିଲା ବର୍ଷା ଜଳ
  • କାଦୁଅ ରାସ୍ତା ଅଟକିଲା ବସ୍, ଗାଡ଼ି ଠେଲିଲେ ସ୍କୁଲ ପିଲା
  • ମହାନଗରରେ ବର୍ଷା ସଙ୍କଟ

ସକ୍ରିୟ ମୌସୁମୀ ବର୍ଷାର ପ୍ରଭାବରେ ବେହାଲ୍ ହୋଇଯାଇଛି ଅବସ୍ଥା । ଗାଁରୁ ସହର ସବୁଠି ସମାନ ଅବସ୍ଥା । ପ୍ରବଳ ବର୍ଷା ଯୋଗୁଁ ଧୋଇଯାଇଛି, କୁଚିଣ୍ଡା ଫାଶୀମାଲର ବୁଲାଣି ରାସ୍ତା । ନୂଆ ପୋଲ ନିର୍ମାଣ ନିକଟରେ ତିଆରି ହୋଇଥିବା ରାସ୍ତାକୁ ଧୋଇନେଇଛି ବର୍ଷା ପାଣି । ଫଳରେ ପାଖାପାଖି ୧୦ରୁ ୧୨ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏପଟେ କେନ୍ଦୁଝର ଜିଲ୍ଲା ତେଲକୋଇରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ କରଦାଙ୍ଗି ଗାଁର ଘୁରୁଡିଆ ନାଳ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ କରଦାଙ୍ଗି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟେଶ୍ୱର ସରକାରୀ ସ୍କୁଲ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଇଁ । ପାଣିରେ ଭାସୁଛି ଶ୍ରେଣୀ ଗୃହ । ଉଦଘାଟନର ଦେଢ଼ ମାସ ନପୁରୁଣୁ ମୌସୁମୀ ବର୍ଷା ଆରମ୍ଭରୁ ବିଦ୍ୟାଳୟରେ ପାଣି ପଶି ସମସ୍ୟା ସୃଷ୍ଟି କରିଛି । ଏସବୁ ଭିତରେ ବୌଦ୍ଧରୁ ଆସିଛି ଏକ ଅଭାବନୀୟ ଚିତ୍ର । ସ୍କୁଲରୁ ଫେରୁଥିବା ବେଳେ କାଦୁଆ ରାସ୍ତାରେ ଫସି ରହିଛି ଗାଡ଼ି ।

ଗାଁରୁ ସହର ସବୁଠି ବର୍ଷା ପାଣିରେ ବେହାଲ ଜୀବନ । ଏଥିରୁ ବାଦ୍ ପଡ଼ିନି ମହାନଗର । ସତେ ଯେମିତି ପାଣିରେ ଭାସୁଛି କଟକ । ମକରାବାଗ ସାହିରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା । ଲୋକେ ନାଁ ଘରୁ ବାହାରି ପାରୁଛନ୍ତି ନାଁ କେଉଁଠିକୁ ଯାଇ ପାରୁଛନ୍ତି । ଡ୍ରେନ ବନ୍ଦ କରି ଜାଇକା କାମ କରିଥିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଏପଟେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ତଳିଆ ଅଂଚଳର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ଆଉ ପାଣି ଜମିବା ଫଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସହରର ପରିମଳ ବ୍ୟବସ୍ଥା । ତେବେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଆରମ୍ଭ ହେଉ ହେଉ ଓଡ଼ିଶାର ବିିଭିନ୍ନ ସ୍ଥାନରେ ଏହି ଜଳବନ୍ଦୀ ଅବସ୍ଥା । ଏଭଳି ସ୍ଥିତିରେ ଆଗକୁ କ’ଣ ହେବ ଅନୁମାନ କରନ୍ତୁ ।