୫ ଦିନ ଭିତରେ କେରଳ ଓ ୧୫ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଭଲ ବର୍ଷା ହେବା ନେଇ ପୂର୍ବାନୁମାନ

1,128

କନକ ବ୍ୟୁରୋ: ଏଥର ଆଗୁଆ ଆସିପାରେ ମୌସୁମୀ ଏବଂ ଓଡିଶା ହୋଇପାରେ ଭଲ ବର୍ଷା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ମେ’ ୩୧ରେ କେରଳ ଛୁଇଁପାରେ ମୌସୁମୀ । ଆଉ ରଜବେଳକୁ ଓଡିଶା ଛୁଇଁବ ମୌସୁମୀ ।

  • ଆଗୁଆ ଆସୁଛି ମୌସୁମୀ
  • ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା!

ନିର୍ବାଚନର ତାତି ଭିତରେ ଆସିଛି ଭଲ ଖବର । ପାଣିପାଗ ବିଭାଗର ପୂର୍ବାନୁମାନ ଆଗାମୀ ପାଗ ଅନୁକୂଳ ଥିବାରୁ ୫ ଦିନ ମଧ୍ୟରେ ଅର୍ଥାତ ମେ’ ୩୧ରେ କେରଳ ଛୁଇଁପାରେ ମୌସୁମୀ । ଆଉ ଜୁନ ୧୫ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ରହିଛି । ତେବେ ୨୦୨୩ରେ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ଆଉ ନିଅଣ୍ଟିଆ ବର୍ଷାର କଷ୍ଟ ଭୋଗିଥିଲା ଓଡ଼ିଶା ।

  • ୨୦୨୩ରେ ନବରଙ୍ଗପୁରରେ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା
  • କେନ୍ଦ୍ରାପଡ଼ାରେ ୨୪ ପ୍ରତିଶତ ଓ ପୁରୀରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା
  • ସ୍ୱାଭାବିକଠାରୁ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା ଝାରସୁଗୁଡ଼ା, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ

ଏଥର ଆଗୁଆ ମୌସୁମୀ ଆସୁଛି । ଆଉ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ନିଅଣ୍ଟିଆ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କେରଳ ଛୁଇଁବା ପରେ ପୁଡୁଚେରୀ, ତାମିଲନାଡୁ, ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିବ ମୌସୁମୀ । ଏଥର ଦେଶରେ ମୌସୁମୀ ବାୟୁ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଥିବାରୁ କୃଷି ଉପରେ ଭଲ ପ୍ରଭାବ ପଡିବ ବୋଲି କୁହାଯାଉଛି ।