ଦଲାଲ-ବ୍ୟାଙ୍କ କର୍ମଚାରୀ ମଧୁଚନ୍ଦ୍ରିକା! ଗରିବଙ୍କ ନାଁରେ ଋଣ କରି ଖାଇଗଲେ ଟଙ୍କା

1,651

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ଟାଙ୍ଗରିପାଲ୍ଲି ବ୍ଲକ ବନ୍ଧପାଲି ପଂଚାୟତ ସଦରଥାନା ଛକର ଦିନ ମଜୁରିଆ ତପନ ଓରାମଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ସରଳ ବିଶ୍ୱାସୀ ହୋଇଥିବାରୁ ଠକେଇର ଶିକାର ହୋଇଛନ୍ତି ଏହି ଗରିବ ଖଟିଖିଆ । ଋଣ ନାଁରେ ତାଙ୍କୁ ଠକି ଦେଇଛନ୍ତି ଦଲାଲ ଓ ବ୍ୟାଙ୍କ କର୍ମଚାରୀ । ସରକାରୀ ସହାୟତାରେ ବ୍ୟାଙ୍କରୁ ଋଣ ମିଳିବ କହି ତପନଙ୍କ ଆଧାର କାର୍ଡ, ଘରଡିହ ପଟ୍ଟା ଓ ଫଟୋ ସଂଗ୍ରହ କରିନେଇଥିଲେ ୨ଜଣ ଦଲାଲ ଓ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କର କର୍ମଚାରୀ । ଅଭିଯୋଗ ଅନୁସାରେ, ୨୦୨୦ ଫେବ୍ରୁୟାରୀରେ ତପନଙ୍କୁ ସୁନ୍ଦରଗଡର ଏକ ବ୍ୟାଙ୍କକୁ ନେଇ କାଗଜପତ୍ରରେ ଦସ୍ତଖତ ଦେବାକୁ କୁହାଯାଇଥିଲା । ଦୁଇଟି କିସ୍ତିରେ ଟଙ୍କା ଉଠାଇ ୫ହଜାର ଲେଖାଏଁ ଅର୍ଥାତ ମୋଟ ୧୦ ହଜାର ଟଙ୍କା ଦେଇ ତପନଙ୍କୁ ଘରକୁ ପଠାଇ ଦେଇଥିଲେ । ତପନଙ୍କ ନାଁରେ ୧ଲକ୍ଷ ଟଙ୍କା ଲେଖାଏଁ ଋଣ ଉଠାଇନେଇଥିଲେ । ଏପ୍ରିଲ ୧୮ତାରିଖରେ ତପନ ଓରାମ ନିଜ ଆକାଉଂଟରେ ଜମା ଥିବା କିଛି ଅର୍ଥ ଏଟିଏମ ମାଧ୍ୟମରେ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ବନ୍ଦ ବା ଲକ୍ ଥିବା ଜାଣିବାକୁ ପାଇଥିଲେ । ବ୍ୟାଙ୍କକୁ ଯାଇ ବୁଝିବା ପରେ ତାଙ୍କ ନାଁରେ ୧ଲକ୍ଷ ଟଙ୍କାର ଋଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ । କେବଳ ତପନ ନୁହେଁ ସ୍ଥାନୀୟ ଅଂଚଳର ଅନେକ ଲୋକ ଏଭଳି ଠକେଇର ଶୀକାର ହୋଇଛନ୍ତି । ଆଉ ୩ ବର୍ଷ ପରେ ଏକଥା ଜାଣି ଗରିବ ଖଟିଖିଆଙ୍କ ପାଦ ତଳୁ ମାଟି ଖସିଯାଇଛି ।

ସବୁଠାରୁ ବଡ କଥା ହେଲା, ଏଭଳି ଠକେଇ ଏକ ଗ୍ୟାଙ୍ଗ ସାମିଲ ଥିଲେ । ଆଉ ଏହି ଗ୍ୟାଙ୍ଗକୁ ସହାୟତା କରୁଥିଲେ କିଛି ବ୍ୟାଙ୍କ କର୍ମଚାରୀ । ଠକେଇରେ ସାମିଲ ଥିବା ସୁନ୍ଦରଗଡ ବ୍ରାହ୍ମଣପଡାର ଶେଖର ପୁରୋହିତ କ୍ୟାମେରା ସାମ୍ନାରେ କେମିତି ଠକେଇ ହେଉଥିଲା ଓ କାହା ଭାଗରେ କେତେ ପଡୁଥିଲା ତାର ଖୁଲାସା କରିଛନ୍ତି ।

ଗ୍ରାଉଣ୍ଡ ଜିରୋରେ ଦଲାଲମାନେ ଲୋକଙ୍କୁ ପ୍ରବର୍ତାଇ ଶେଖରଙ୍କ ପାଖକୁ କାଗଜପତ୍ର ନେଇ ଆସିଥାନ୍ତି । ଋଣ ଆବେଦନ ମଞ୍ଜୁର ହେବା ପରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥାନ୍ତି ଶେଖର ପୁରୋହିତ । କିଛି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଦିଅନ୍ତି । ପ୍ରତି ଦିନ ଖଟିଲେ ଯାଇ ଗରିବ ଖଟିଖିଆ ପରିବାର ସଦସ୍ୟଙ୍କ ପେଟକୁ ଦାନା ଯାଏ । ଏବେ କିନ୍ତୁ ଅଳ୍ପ ରୋଜଗାରରେ ପରିବାର ଚଳାଇବେ ନାଁ ଋଣ ଟଙ୍କା ସୁଝିବେ ସେ ନେଇ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି । ତେବେ ଏ ସମ୍ପର୍କରେ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରତିକ୍ରିୟା ପାଇଁ ଯାଇଥିବା ଆମ ପ୍ରତିନିଧିଙ୍କୁ ବ୍ୟାଙ୍କ ଭିତରକୁ ଛାଡିନଥିଲେ ସୁରକ୍ଷାକର୍ମୀ ।