ମହାନଦୀ ପାଣିକୁ କବଜାରେ ରଖିିଛି ଛତିଶଗଡ଼! ଡ୍ୟାମ ଓ ବ୍ୟାରେଜରେ ଉଛୁଳୁଛି ପାଣି

66

କନକ ବ୍ୟୁରୋ: ଛତିଶଗଡ଼ର ମନମାନୀ । ଖରାଦିନେ ଇଛା ହେଲେ ଓଡିଶାକୁ ପାଣି ଛାଡୁଛି । ନୀତି ନିୟମକୁ ଜଳାଂଜଳି କରି ବିଭିନ୍ନ ଡ୍ୟାମ ଓ ବ୍ୟାରେଜରେ ଅଟକାଇ ରଖିଛି ପାଣି । ଜାଣିବାକୁ ମିଳିଛି, ଗତ ସପ୍ତାହରେ ଛତିଶଗଡ ଗସ୍ତ ବେଳେ ଛତିଶଗଡ଼ର ଚକ୍ରାନ୍ତ ଆଖିରେ ଦେଖିଛି ଟ୍ରିବ୍ୟୁନାଲ୍ ସଦସ୍ୟ । ଛତିଶଗଡ଼ ସରକାର ଏହାକୁ ମାନିବାକୁ ରାଜି ନଥିବାବେଳେ ଗୁଗୁଲ ଅର୍ଥରେ ଧରାପଡିଛି ପଡ଼ୋଶୀ ରାଜ୍ୟର ମିଛ । ଛତିଶଗଡର କେତେକ ଡ୍ୟାମର ଗୁଗୁଲ ଅର୍ଥ ସର୍ଚ କଲାବେଳକୁ ସ୍ପଷ୍ଟ ଭାବେ ଜଣାପଡିଛି ଯେ କିଭଳି ଭାବେ ବଡ ବଡ ଡ୍ୟାମରେ ଅଟକି ରହିଛି ପାଣି ।
ଛତିଶଗଡର ଧମତାରୀ ଜିଲ୍ଲାରେ ମହାନଦୀ ଉପରେ ଥିବା ଗଙ୍ଗରେଲ ଜଳାଶୟକୁ ଯାଇଥିଲା ଟ୍ରିବୁନାଲ ଟିମ୍ । ତେବେ ଏହି ଡ୍ୟାମ ଭିତରେ କେବଳ ପାଣି ହିଁ ପାଣି, ଡ୍ୟାମର ଅପର ପାଶ୍ୱର୍ ଶୁଖିଲା ରହିଛି ।

ସନ୍ଧୁର ଡ୍ୟାମ । ଧମତାରୀ ଜିଲ୍ଲାରେ ହିଁ ରହିଛି ଏହି ଡ୍ୟାମ । ଅନ୍ୟ ଡ୍ୟାମ ଭଳି ଏହାର ବି ସମାନ ଅବସ୍ଥା । ଡ୍ୟାମର ଦୁଇ ପାଶ୍ୱର୍ର ଚିତ୍ର ବୁଝାଇ ଦେଉଛି ଯେ କିଭଳି ଏହି ଡ୍ୟାମ ଭିତରେ ପାଣି ଉଛୁଲୁଛି । ଏଭଳି ଭାବେ ଅନେକ ଡ୍ୟାମ ଓ ବ୍ୟାରେଜରେ ଆବଶ୍ୟକତା ଠାରୁ ଅଧିକ ପାଣି ମହଜୁଦ ରଖିଛି ଛତିଶଗଡ଼ ।

ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ । ଅଧା ଓଡ଼ିଶାର ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । କିନ୍ତୁ ମହାନଦୀ ଉପରେ ଛତିଶଗଡ଼ ସରକାର ମାଳ ମାଳ ବ୍ୟାରେଜ୍ ଓ ବନ୍ଧ ତିଆରି କରିଚାଲିଛି । ଫଳରେ ଜଳପ୍ରବାହ କମୁଛି । ବର୍ଷା ଦିନେ ଛତିଶଗଡ ସରକାର ନିଜ ବ୍ୟାରେଜ ଓ ଡ୍ୟାମରୁ ପାଣି ଛାଡିଦିଏ । କିନ୍ତୁ ଖରାଦିନେ ପାଣିକୁ ଅଟକାଇ ଦିଏ । ବର୍ଷାଦିନେ ବନ୍ୟା ଓ ଖରାଦିନେ ମରୁଡ଼ି ପଡ଼େ ଓଡ଼ିଶାରେ । ଏପଟେ ଜଳକୁ ସଂରକ୍ଷିତ କରିବା ପାଇଁ ଓଡିଶାରେ ପର୍ଯ୍ୟାପ୍ତ ଡ୍ୟାମ ଓ ବ୍ୟାରେଜ ନଥିବା କହିଛନ୍ତି ବିଶେଷଜ୍ଞ ।

ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ତାରିଖରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ଟ୍ରିବୁନାଲ ଟିମ୍ କ୍ଷେତ୍ର ପରିଦର୍ଶନ କରିବେ । ତେବେ ଅଣମୌସୁମୀ ସମୟରେ ଓଡ଼ିଶାକୁ ୩୦% କମ୍ ପାଣି ମିଳୁଥିବା ବେଳେ ଓଡ଼ିଶା ଭାଗର ପାଣିକୁ ୪୮ଟି କଳକାରଖାନାକୁ ଯୋଗାଇ ଦେଉଛି ଛତିଶଗଡ଼ । ଏ ସମ୍ପର୍କରେ ଟ୍ରିବୁନାଲ ଟିମ୍ କଣ ପଦକ୍ଷେପ ନେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।