ବ୍ଲୁ-ହ୍ୱେଲ ପରେ ଭାଇରାଲ ହେଉଛି ମୋମୋ ଚ୍ୟାଲେଞ୍ଜ! ଟାସ୍କ ପୂରଣ କରିବାକୁ ଯାଇ ଜନ୍ମଦିନର ତିନି ଦିନ ପରେ ଆତ୍ମହତ୍ୟା କଲେ ଛାତ୍ରୀ

35

ମୃତ୍ୟୁର ଖେଳ ବ୍ଳୁ-ହ୍ୱେଲ ପରେ ଏବେ ଭାରତରେ ଏଣ୍ଟ୍ରି କରିଛି ମୋମୋ ଚ୍ୟାଲେଞ୍ଜ । ରାଜସ୍ଥାନର ଆଜମେର ଜିଲ୍ଲାରେ ମୋମୋ ଚ୍ୟାଲେଞ୍ଜକୁ ପୁରା କରିବାକୁ ଯାଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଜନ୍ମଦିନର ତିନି ଦିନ ପରେ । ଯାହା ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ଘଟଣା ଅନୁଯାୟୀ, ଦଶମ ଶ୍ରେଣୀରେ ପଢୁଥିବା ୧୫ ବର୍ଷୀୟ ଛାତ୍ରୀ ଗତ ୩୧ ଜୁଲାଇରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାହା ପୁଣି ଜନ୍ମ ଦିନର ତିନି ଦିନ ପରେ । ତେବେ ଏହି ଆତ୍ମହତ୍ୟାର ଖୋଳତାଡ କରିବା ପରେ ଜଣା ପଡିଛି ଛାତ୍ରୀ ଜଣକ ମୋମୋ ଚ୍ୟାଲେଞ୍ଜ କରିବାକୁ ଯାଇ ଏପରି କରିଛନ୍ତି । ମୋବାଇଲ ବ୍ରାଉଜରର ତଥ୍ୟରୁ ଜଣାପଡିଥିଲା ଛାତ୍ରୀ ଜଣକ ମୋମୋ ଚ୍ୟାଲେଞ୍ଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ ପରେ ନିଜ ଜୀବନ ହାରିଥିବା କୁହାଯାଉଛି । କାରଣ ଏହି ଭୟଙ୍କର ଖେଳର ଶେଷ ଷ୍ଟେଜ ହେଉଛି ମୃତ୍ୟୁ । ଛାତ୍ରୀ ଜଣକ ସୁଇସାଇଡ ନୋଟରେ ଲେଖିଥିଲେ ଯେ, ଜନ୍ମଦିନ ହିଁ ଆତ୍ମହତ୍ୟା କରିବାର ଥିଲା ।

ବିଶ୍ୱର ଅନେକ ଦେଶ ଏବେ ଏହି ମୃତ୍ୟୁର ଖେଳ ମୋମୋ ଚ୍ୟାଲେଞ୍ଜ କବଳରେ ଆସି ସାରିଲେଣି । ସୋସିଆଲ ମିଡିଆରେ ଏକ ହ୍ୱାଟସଆପ୍ ନମ୍ବର ଭାଇରାଲ ହେଉଛି । ଆଉ ଏହି ଭାଇରାଲ ନମ୍ବରକୁ ହିଁ କୁହାଯାଉଛି ମୋମୋ ଚ୍ୟାଲେଞ୍ଜ । ପ୍ରଥମେ ଆପଣଙ୍କ ମୋବାଇଲକୁ ଏକ ଅଜ୍ଞାତ ନମ୍ବରରୁ ମେସେଜ ଆସିଥାଏ । ଆଉ ଏହି ମେସେଜରେ ହାଏ-ହାଲୋର ଚ୍ୟାଲେଞ୍ଜ ମିଳିଥାଏ । ପରେ ସେହି ନମ୍ବରରେ ଚାଟିଂ କରିବା ପାଇଁ ଚ୍ୟାଲେଞ୍ଜ ମିଳିଥାଏ । ଆଉ ଥରୁଟିଏ କଥାବାର୍ତା ଆରମ୍ଭ କରିଦେଲେ ଆପଣ ମୋମୋ ଚ୍ୟାଲେଞ୍ଜ ଜାଲରେ ଫସି ଯାଇଥାନ୍ତି । ଏହା ପରେ ଆପଣଙ୍କ ପାଖକୁ ଭୟଭୀତ କଲା ଭଳି ଚିତ୍ର, ଅଡିଓ ଏବଂ ଭିଡିଓ କ୍ଲିପ୍ ଆସିବା ଆରମ୍ଭ ହୋଇଯାଇଥାଏ । ଆଉ ଏହାସହ ମିଳିଥାଏ ଅଜବ ପ୍ରକାରର ଟାକ୍ସ । ଟାକ୍ସ ନକଲେ ମିଳିଥାଏ ଧମକ । ଏଭଳି ଧମକ ମିଳିଥାଏ ଯେ, ଆପଣ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇପଡିବେ ।

ଖାସକରି ଛୋଟ ପିଲା ଓ ଯୁବଗୋଷ୍ଠୀ ମାନେ ଏବେ ମୋମୋ ଚ୍ୟାଲେଞ୍ଜ ଜାଲରେ ବେଶ ସହଜରେ ଫଶି ଯାଉଛନ୍ତି । କାରଣ ଏହା ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହେଉଥିବାରୁ ଯୁବଗୋଷ୍ଠୀ ମାନଙ୍କୁ ଟାର୍ଗେଟ କରାଯାଇଥାଏ । ତେଣୁ ସୋସିଆଲ ମିଡିଆ ବ୍ୟବହାର କରୁଥିବା କୌଣସି ବ୍ୟକ୍ତିର ଯଦି ଆଚରଣରେ ପରିବର୍ତ୍ତନ ଆସେ ତେବେ ତାଙ୍କ ଉପରେ ସର୍ତକ ଦୃଷ୍ଟି ରଖନ୍ତୁ ।