ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

231

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଲୋକମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରେ ରାଜ୍ୟବସୀଙ୍କୁ ପୂର୍ବ କଂଗ୍ରେସ ସରକାର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଥିବା ବେଳେ ବିଜେପି ସରକାରକୁ ଆସିଲେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଭୋଟରମାନେ ବିଜେପିର ଲୋଭନୀୟ ପ୍ରତିଶ୍ରୁତିକୁ ଭରସା କରି ବିଜେପିକୁ ବହୁମତ ଦେଇଥିଲେ । ହେଲେ କେନ୍ଦ୍ରମନ୍ତ୍ରୀ ଏବେ ଲୋକଙ୍କ ଭରସା ଉପରେ ପାଣି ପକାଇ ଦେଇଛନ୍ତି ।

ରାଜ୍ୟସଭାରେ ସାଂସଦ ଜାବେଦ ଅଲ୍ଲୀ ଖାନ ପ୍ରଶ୍ନ ପଚାରିଥିଲେ କି ଏବେ କେନ୍ଦ୍ର ସରକାର ରାଜସ୍ଥାନରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କଥା ଦେଇଛି ନା ସାରା ଦେଶରେ ୪୫୦ଟଙ୍କାରେ ସିଲିଣ୍ଡର ଯୋଗାଇ ଦେବାକୁ ଯୋଜନା କରୁଛି । ଏହି ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ରାଜ୍ୟମନ୍ତ୍ରୀ କହିଛନ୍ତି କି, ରାଜସ୍ଥାନରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିନାହାଁନ୍ତି । କହିରଖୁ କି ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇଦେବା ପ୍ରସଙ୍ଗ ୫ ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପ୍ରସଙ୍ଗ ପାଲଟିଥିଲା । ରାଜସ୍ଥାନରେ ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଲେଖିଥିଲା କି, ରାଜ୍ୟରେ ବିଜେପି ସରକାର ଗଠନ ହେଲେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ।

ଏବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୬୦୩ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି । ରାଜସ୍ଥାନ,ମଧ୍ୟପ୍ରଦେଶରେ ବିଜେପି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏବେ ପ୍ରଶ୍ନ ଉଠୁଛି କି, ଯଦି ରାଜସ୍ଥାନ ଓ ମଧ୍ୟପ୍ରଦେଶର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ତେବେ ଦେଶର ଅନ୍ୟ ରାଜ୍ୟର ହିତାଧିକାରୀମାନେ କାହିଁକି ୧୫୩ ଟଙ୍କା ଅଧିକ ଦେବେ ।