ତେଜିଲା ବିଧାୟକଙ୍କ ବିବାହ ବିବାଦ। ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରେମିକା। 

173

କନକ ବ୍ୟୁରୋ :  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶଙ୍କ ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି  । ବିଧାୟକଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ସୋମାଲିକା । ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ବିଜୟଶଙ୍କର ବିବାହର ପ୍ରତିଶ୍ରୁତି ରଖିନାହାନ୍ତି ଓ ତାଙ୍କୁ ଧମକଚମକ ଦିଆଯାଉଛି  । ଏହେଉଛି ସେହି ଅନଲାଇନ ଏଫଆଇଆର କପି  ।

ଶୁକ୍ରବାର ବିବାହ ପାଇଁ ସୋମାଲିକା ଓ ତାଙ୍କ ପରିବାରବର୍ଗ ଜଗତସିଂହପୁର ସବ୍-ରେଜିଷ୍ଟ୍ରାର ଅଫିସରେ ପହଞ୍ଚିଥିଲେ । ବିବାହ ଆବେଦନର ମାସେ ପରେ ସବ୍-ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ସୋମାଲିକା  । ହେଲେ ବିଧାୟକ ବିଜୟ ଶଙ୍କର ସେଠାରେ ପହଞ୍ଚିନଥିଲେ । ଫଳରେ ୪ ଘଣ୍ଟା ଧରି ଅପେକ୍ଷା କରିବା ପରେ ଫେରିଯାଇଥିଲେ ସୋମାଲିକା  ।

ସୋମାଲିକା ଗତ ମାସ ପ୍ରଥମ ସପ୍ତାହରେ ଏସପିଙ୍କ ଦ୍ୱାରସ୍ଥ ହୋଇ ବିଧାୟକଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଥିଲେ । ଏହାପରେ ଆପୋଷବୁଝାମଣା ପରେ ମେ’  ୧୬ ତାରିଖରେ ବିଜୟ ଶଙ୍କର ଓ ସୋନାଲିକା ଉଭୟ ସବ୍-ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ । ନିୟମ ଅନୁଯାୟୀ ଆବେଦନର ୩୦ ଦିନ ପରେ ଓ ୯୦ ଦିନ ମଧ୍ୟରେ ଯେକୌଣସି ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ହେଲେ ବିଜୟଶଙ୍କର ଆସିନଥିଲେ । ତେବେ ସୋମାଲିକାଙ୍କ ଅଭିଯୋଗ ନେଇ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ   ।