ମନ୍ତ୍ରୀ ନକଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ? ସିନ୍ଦେଙ୍କୁ କିଛି ଏଭଳି ବ୍ଲାକମେଲ କରିଥିଲେ ବିଧାୟକ, ଜାଣନ୍ତୁ କିଏ କଲା ଏଭଳି ଖୁଲାସା?

293

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସିନ୍ଦେ ସରକାରର କ୍ୟାବିନେଟ ବିସ୍ତାର ହୋଇନଥିବା ବେଳେ ସିନ୍ଦେ ଗୋଷ୍ଠୀର ଜଣେ ବିଧାୟକ ବଡ ଖୁଲାସା କରିଛନ୍ତି । ସିନ୍ଦେ ଗୋଷ୍ଠୀର ବିଧାୟକ ଭରତସେଠ୍ ଗୋଗାବଲେ କହିଛନ୍ତି, ସିନ୍ଦେ ସରକାରରେ ମନ୍ତ୍ରୀ ହେବାକୁ କିଛି ବିଧାୟକ ଭିନ୍ନ ଉପାୟ ଆପଣାଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କିଛି ବିଧାୟକ ବ୍ଲାକମେଲ କରିଥିବା ନେଇ କହିଛନ୍ତି ଗୋଗାବେଲ । ଏପରିକି ମୁଁ ମଧ୍ୟ ମନ୍ତ୍ରୀପଦ ରେସରେ ରହିଥିଲି କିନ୍ତୁ ଯେତେବେଳେ ଏହି ପଦବୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ସେତେବେଳେ ମୁଁ ପଛଘୁଞ୍ଚା ଦେଇଥିଲି । କାରଣ ମୁଁ ଚାହୁଁନଥିଲି ମୁଖ୍ୟମନ୍ତ୍ରୀ କୌଣସି ଅସୁବିଧାରେ ପଡନ୍ତୁ । ତେବେ ଜଣେ ବିଧାୟକ କହିଥିଲେ, ମୋତେ ଯଦି ମନ୍ତ୍ରୀ ନ କରିବେ ତେବେ ମୋ ପତ୍ନୀ ଆତ୍ମହତ୍ୟା କରିଦେବେ । ସେହିଭଳି ଅନ୍ୟ ଜଣେ ବିଧାୟକ କହିଥିଲେ, ଯଦି ମୋତେ ମନ୍ତ୍ରୀ ନ କରନ୍ତି ତେବେ ନାରାୟଣ ରାଣେ ମୋର ରାଜନୈତିକ କ୍ୟାରିୟର ନଷ୍ଟ କରିଦେବେ ।

କେବଳ ଏତିକି ନୁହେଁ ଗୋଗାବେଲ କହିଛନ୍ତି, ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସିନ୍ଦେ ଓ ମୁଁ ପ୍ରତ୍ୟେକ ବିଧାୟକଙ୍କ ବାବଦରେ ବୁଝିବାକୁ ଡାକିଥିଲୁ । ସମ୍ଭାଜିନଗରର ଜଣେ ବିଧାୟକଙ୍କୁ ଫୋନ୍ କରି କହିଥିଲୁ, ଆପଣ ଏତେ ବ୍ୟସ୍ତ କାହିଁକି ହେଉଛନ୍ତି । ଆପଣଙ୍କ ଜିଲ୍ଲାରୁ ୨ ଜଣ ବିଧାୟକଙ୍କ ନାଁ ମନ୍ତ୍ରୀ ପଦ ତାଲିକାରେ ରହିଛି । କିନ୍ତୁ ରାୟଗଡ ଜଣେ ବି ବିଧାୟକଙ୍କ ନାଁ ମନ୍ତ୍ରୀ ତାଲିକା ସୂଚୀରେ ନାହିଁ । ଏହା ଶୁଣିବା ପରେ ଉକ୍ତ ବିଧାୟକ ଜଣକ ଅପେକ୍ଷା କରିବାକୁ ପ୍ରସ୍ତୁତ ହୋଇଥିଲେ । ତେବେ ଅନ୍ୟଜଣେ ବିଧାୟକ ଯିଏ ପତ୍ନୀଙ୍କ ଆତ୍ମହତ୍ୟା କଥା କହିଥିଲେ, ତାଙ୍କୁ ମନ୍ତ୍ରୀ କରାଯାଇଥିଲା । ସେହିଭଳି  ମୋତେ ଅପେକ୍ଷା କରିବାକୁ କୁହାଯାଇଥିଲା ଏବଂ ମୁଁ ମଧ୍ୟ ମୋ ସମୟକୁ ଅପେକ୍ଷା କରିଥିବା କହିଛନ୍ତି ଗୋଗାବେଲ ।