ମୋହନ ସରକାରରେ ମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ରହିଲା ଗୃହ, ଅର୍ଥ, ଜଳସମ୍ପଦ । ୨ ଉପ-ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ବିଭାଗ ।

132

କନକ ବ୍ୟୁରୋ: ଶପଥ ନେବାର ୪ ଦିନ ପରେ ରାଜ୍ୟରେ ବିଜେପି ସରକାରର ମନ୍ତ୍ରୀ ମାନଙ୍କ ମଧ୍ୟ ବିଭାଗ ବଣ୍ଟାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପାଖରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନା, ବିଭାଗ ସମେତ ଯେଉଁ ବିଭାଗ ଗୁଡ଼ିକୁ ମନ୍ତ୍ରୀ ମାନଙ୍କୁ ବଣ୍ଟାଯାଇନାହିଁ ସେସବୁ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନେ ନିଜ ପାଖରେ ଅର୍ଥ, ସୂଚନା ଓ ଲୋକସର୍ମ୍ପକ ବିଭାଗକୁ ନିଜ ପାଖରେ ରଖୁନଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ବିଭାଗକୁ ନିଜ ପାଖରେ ରଖିଛନ୍ତି । ଏବେ ବି ମନ୍ତ୍ରୀମଣ୍ଡଳରେ ଆଉ ୬ଜଣ ସାମିଲ ହୋଇପାରିବାର ସମ୍ଭାବନା ଥିବାରୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଏହି ବିଭାଗ ଅନ୍ୟ ମାନଙ୍କୁ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତି ପରିଡାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । କେଭି ସିଂ ଦେଓଙ୍କୁ କୃଷି ଓ ଶକ୍ତି ବିଭାଗ ମିଳିଥିବା ବେଳେ ପ୍ରଭାତିଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ ସହ ମିସନ ଶକ୍ତି ବିଭାଗ । ତେବେ ଏଥର ଠିକ୍ ମନ୍ତ୍ରୀଙ୍କୁ ଠିକ୍ ବିଭାଗ ମିଳିଛି ବୋଲି ଚର୍ଚ୍ଚା ହେଉଛି ।