ଓଡ଼ିଶାର ୭ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟର ରହିଛି ସୀମା ବିବାଦ ।  ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କହିଲେ ସୀମାନ୍ତବର୍ତୀ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ସରକାର ।

105

କନକ ବ୍ୟୁରୋ : ଓଡ଼ିଶା ସୀମାରେ ପଡ଼ିଶାଙ୍କ ଆଖି । ୭ଟି ଜିଲ୍ଲାରେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ନୂଆଁପଡ଼ା କୋରାପୁଟ, ଗଂଜାମ ଓ ଗଜପତି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତର ଦେଇଛନ୍ତି । ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୀମା ବିବାଦର ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି ।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ସୀମାନ୍ତବର୍ତୀ ଲୋକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରୟାସ କରୁଛନ୍ତି । ସେହିପରି କୋଟିଆର ବିକାଶ ପାଇଁ ୧୫ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ । ଏବେ ମାମଲା ସୁପ୍ରିମକୋର୍ଟରେ ଥିବାରୁ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜୟ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଓଡ଼ିଶା ସୀମାରେ ପଶି ଆନ୍ଧ୍ର କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଛି । କୋଟିଆ କଳିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଖଣ୍ଡପୀଠ ଆବେଦନର ଶୁଣାଣୀ କରି ପ୍ରତିଜବାବ ଦାଖଲ ପାଇଁ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।