ପରୀ ମୃତ୍ୟୁ ମାମଲାରେ ଏସଆଇଟିକୁ ନିରାଶ କଲେ କୋର୍ଟ ।ଏଲଭିଏ ଟେଷ୍ଟ ପାଇଁ ମିଳିଲାନି ଅନୁମତି ।

194

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ନିରାଶ । ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ଓ ବ୍ରେନ ମାପିଂ ଟେଷ୍ଟ କରାଇବାକୁ ଚାହୁଁଥିଲା ଏସଆଇଟି । ୨ଟି ଯାକ ପରୀକ୍ଷା ପାଇଁ ଅଭିଯୁକ୍ତର ସ୍ୱୀକୃତି ଆବଶ୍ୟକ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା । ହେଲେ ପରୀ ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି କେବଳ ବୈଜ୍ଞାନିକ ପ୍ରମାଣ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ଅଭିଯୁକ୍ତର ଏଲଭିଏ ଅର୍ଥାତ ଲାୟର ଭଏସ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିଥିଲା । ଏଥିପାଇଁ ଅଭିଯୁକ୍ତର ସହମତି ଆବଶ୍ୟକ ନଥିବାରୁ ଏଥିରୁ ଫାଇଦା ମିଳିବ ବୋଲି ଏସଆଇଟି ଭାବିଥିଲା । ହେଲେ ଶେଷରେ ନିରାଶ ହେବାକୁ ପଡ଼ିଛି ।

ଅଭିଯୁକ୍ତର ଏଲଭିଏ ଟେଷ୍ଟ ପାଇଁ ଅନୁମତି ଦେଇନାହାନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର । ପରୀ ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରି ସାରିଛି । ଚାର୍ଜସିଟ ଦାଖଲ ପୂର୍ବରୁ ଏଲଭିଏ ଟେଷ୍ଟ ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲା । ହେଲେ ଚାର୍ଜସିର୍ଟରେ ଏହି କଥା ଉଲ୍ଲେଖ କରିନଥିଲା । ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଜର୍ଜଙ୍କ ଅସନ୍ତୋଷକୁ ଦେଖି ବାଧ୍ୟ ହୋଇ ଏଲଭିଏ ଆବେଦନରୁ ଓହରି ଯାଇଛି ଏସଆଇଟି । ଏହାପୂର୍ବରୁ ପରୀ ଅଭିଯୁକ୍ତର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଭିଯୁକ୍ତ ଜଣକ କିଭଳି ପରୀକୁ ହତ୍ୟା କରିଥିଲା ଓ ପ୍ରମାଣ ନଷ୍ଟ କରିଥିଲା ତାହା ସ୍ୱୀକାର କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏଭଳି ପ୍ରମାଣ କୋର୍ଟରେ ଗ୍ରହଣୀୟ ହେଉନଥିବାରୁ ଏବେ ଅଡୁଆରେ ପଡିଛି ଏସଆଇଟି ।