କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।

145

କନକ ବ୍ୟୁରୋ : ପ୍ରାଥମିକତା ଭିତ୍ତିରେ କାହାକୁ ଦିଆଯିବ କରୋନା ଟିକା ଏନେଇ ନିଷ୍ପତି ନେବେ ସରକାର । ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ଆବେଦନ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଟିକା ସୀମିତ ପରିମାଣରେ ଉପଲବ୍ଧ ରହିଛି । ତେଣୁ ଜରୁରୀ ଆବଶ୍ୟକତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟିକାକରଣ ପ୍ରସଙ୍ଗରେ କେଉଁ ବର୍ଗକୁ ପ୍ରାଥମିକତା ଦେବେ ତାର ନିଷ୍ପତି କରିବେ ବୋଲି କୋର୍ଟ କହିଛନ୍ତି । ସେହିପରି କରୋନା ଯୋଗୁଁ ବନ୍ଦ ଥିବା ଉଚ୍ଛେଦ, ନିର୍ମାଣ ଭଙ୍ଗା ଓ ସମ୍ପତି ନିଲାମ କଟକଣାକୁ ହଟାଇ ଦେଇଛନ୍ତି କୋର୍ଟ । ଗତବର୍ଷ ମେ ୫ରୁ ଏହି ଅଙ୍କୁଶ ବଳବତ୍ତର ରହିଥିଲା । ଗତ ୨ ମାସ ହେବ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି, କୋର୍ଟ କାର୍ଯ୍ୟ ମଧ୍ୟ ସ୍ୱାଭାବିକ ଭାବେ ଚାଲିଛି । ତେଣୁ କୋର୍ଟ ଏସବୁ କାର୍ଯ୍ୟ ପୂର୍ବ ପରି ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ।

ଏସବୁ ଭିତରେ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ କରାଯିବ କରୋନା ଗାଇଡଲାଇନ । ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ପରେ ସତର୍କ ରହିବାକୁ କୁହାଯାଇଛି ।

ଜିଲ୍ଲା ଗୁଡିକରେ କୋଭିଡ ଗାଇଡଲାଇନ୍, ଯେପରି କଡ଼ାକଡ଼ି ପାଳନ ହେବ, ତାହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ସାରାଦେଶରେ ସ୍ୱାଭାବିକ ଭାବେ ଯିବା ଆସିବା ହେଉଛି । ସତର୍କ ନହେଲେ ମହାରାଷ୍ଟ୍ର ଭଳି ପରିସ୍ଥିତି ଓଡ଼ିଶାରେ ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି ପ୍ରଦୀପ୍ତ ମହାପାତ୍ର । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ସଂକ୍ରମଣ ରୋକିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ବଜାର, ମନ୍ଦିର ଓ ଧର୍ମପୀଠ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ସେହିପରି କୋଭିଡ ପରୀକ୍ଷାକୁ ମଧ୍ୟ ଜୋର ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ ଯଥେଷ୍ଟ ପରିମାଣରେ କୋଭିଡ୍ ପରୀକ୍ଷା କରିବାକୁ ଜିଲ୍ଲାପାଳ, ମୁନିସପାଲ କମିସନରଙ୍କୁ ପରାମର୍ଶ ଦିଆଯାଇଛି । ନିୟମର ଖିଲାପ ନକରିବା ପାଇଁ ସତର୍କବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।