ଆକ୍ସନ ମୋଡରେ ମନ୍ତ୍ରୀ । ବିଭାଗ ବଣ୍ଟନ ପରେ କଲେ ସମୀକ୍ଷା । କେଭି ସିଂହଦେଓ କହିଲେ, ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ।

436

କନକ ବ୍ୟୁରୋ: ବିଭାଗ ବଣ୍ଟନ ପରେ ବିଭାଗୀୟ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷିଭବନରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରି ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । କୃଷି ଭବନ ବୁଲି ଦେଖିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି ।

  • ‘ଚଳିବନି ହାତଗୁଞ୍ଜା’
  • ‘ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ’

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପ୍ରଥମ ଦିନରେ ଉଭୟ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ରାଜସ୍ୱ ବିଭାଗରେ ଯେମିତି ଲାଞ୍ଚ କାରବାର ନହୁଏ, ଠିକ ସମୟରେ ଲୋକଙ୍କ କାମ ହେବ, ତା ଉପରେ ଗୁରୁତ୍ୱ ଦେବାକୁ କଡା ତାଗିଦ୍ କରିଛନ୍ତି । ସେହିପରି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଯେମିତି ଉଦାହରଣ ହୋଇ ରିହବ ସେଥିପାଇଁ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ।

  • ମମିତା ମେହେର ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ !
  • ନବ ଦାସ ହତ୍ୟା ମାମଲାର ଖୋଲିବ ଫାଇଲ!

ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିବା ପରେ ପ୍ରଥମ ଦିନରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ ପାଇଁ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ।

ସେପଟେ ବିଭାଗ ମିଳିବା ପରେ ସିଧାସଳଖ ମଇଦାନକୁ ଓହ୍ଲାଇ କାର୍ଯ୍ୟ ଆରମ୍ଭ କରିଛନ୍ତି ସୂରଜ ସୂର୍ଯ୍ୟବଂଶୀ । କଳିଙ୍ଗ ଷ୍ଟାଡିୟମ ଯାଉ ଗ୍ରାଉଣ୍ଡ ଜିରୋରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି । ବିଶ୍ୱ କ୍ରୀଡା ଜଗତରେ ଓଡିଶାର ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ପାଇଁ କଣ କରିବାକୁ ହେବ ସେ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷ ବର୍ଷ ଧରି ବିଭାଗୀୟ ମନ୍ତ୍ରୀ କେତେବେଳେ ସମୀକ୍ଷା କରୁଥିଲେ ତାହା ଜଣାପଡୁନଥିଲା । ହେଲେ, ମୋହନ ମାଝୀଙ୍କ ନୂଆ ସରକାର ପରେ ଆସୁଥିବା ଚିତ୍ର ନୂଆ ସଙ୍କେତ ଦେଉଛି ।