ଓଡିଶାରେ କ୍ଷୀର ଏଟିଏମ୍ : କାର୍ଡ ପୁରାଇ ବଟମ ଚିପିଲେ ବାହାରୁଛି କ୍ଷୀର

ସମ୍ବଲପୁର ସାକ୍ଷୀପଡାରେ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି ଯୁବ ବ୍ୟବସାୟୀ ଅଶ୍ୱିନୀ ନାୟକ

147

କନକ ବ୍ୟୁରୋ : ସମ୍ବଲପୁର ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ଆରମ୍ଭ କରିଛନ୍ତି ମିଲ୍କ ଏଟିଏମ । ଏଟିଏମ କାର୍ଡ ଭଳି ମିଲ୍କ ଏଟିଏମ କାର୍ଡକୁ ସ୍ୱାଇପ୍ କଲେ ବାହାରୁଛି ମେସିନରୁ କ୍ଷୀର । ଯାହା ଶୁଦ୍ଧ ଗାଈକ୍ଷୀର । ଆଉ ଏହି ମେସିନ ଦ୍ୱାରା ଯୁବ ବ୍ୟବସାୟୀ ଜଣକ ଦିନକୁ ୭୫ଲିଟର କ୍ଷୀର କାରବାର କରୁଛନ୍ତି ।

ଏଟିଏମରୁ କ୍ଷୀର ମଧ୍ୟ ବାହାରୁଛି । ସମ୍ବଲପୁର ସାକ୍ଷୀପଡାର ବ୍ୟବସାୟୀ ଅଶ୍ୱିନୀ ନାୟକ ଆରମ୍ଭ କରିଛନ୍ତି ମିଲ୍କ ଏଟିଏମ୍ । ଜଣେ ଆଇଟି ପ୍ରଫେସନାଲ ହୋଇଥିବା ଅଶ୍ୱିନୀ ତାଙ୍କ ସାଙ୍ଗଙ୍କ ସହଯୋଗରେ ଦିଲ୍ଲୀରେ ନିର୍ମାଣ କରିଛନ୍ତି ଏହି ମିଲ୍କ ଏଟିଏମକୁ । ଆଉ ତାଙ୍କ ଫାରମ ହାଉସରେ ଥିବା ୩୦ ଗାଈଙ୍କ କ୍ଷୀର ସଂଗ୍ରହ କରି ସମ୍ବଲପୁର ଆଣି ଏହି ମେସିନ ସାହାଯ୍ୟରେ ବିକ୍ରି କରିଥାନ୍ତି ।

ଏଟିଏମ ମେସିନ କ୍ଷୀରକୁ ୪ଡିଗ୍ରୀରେ ଥଣ୍ଡା ରଖିଥାଏ । ଏବଂ ଏହି ଏଟିଏମରୁ କ୍ଷୀର ନେବା ପାଇଁ ଗ୍ରାହକଙ୍କୁ ସ୍ୱତନ୍ତ୍ର ମିଲ୍କ ଏଟିଏମ କାର୍ଡ ଦିଆଯାଇଛି । ମେସିନର ସେନ୍ସର ସାମ୍ନାରେ ମିଲ୍କ୍ ଏଟିଏମକୁ ରଖିଲେ ମେସିନ ଅନ୍ ହେବା ସହ ଗ୍ରାହକଙ୍କ ଡାଟା ସଂଗ୍ରହ କରିଥାଏ । ଏହାପରେ ଗ୍ରାହକ ଏଟିଏମ୍ ମେସିନ ବଟମ ପ୍ରେସ୍ କଲେ ମେସିନରୁ କ୍ଷୀର ବାହାରି ଥାଏ । ମେସିନରେ ୨୫୦ଗ୍ରାମରୁ ୫ଲିଟର ଯାଏଁ କ୍ଷୀର ସଂଗ୍ରହ କରିବା ପାଇଁ ବଟମ ଉପଲବ୍ଧ ରହିଛି । ମେସିନକୁ ପ୍ରତ୍ୟେକ ଦିନ ଗରମ ପାଣିରେ ଧୂଆ ଯିବା ସହିତ ହାଇଜେନିକ୍ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥାଏ । ଏମିତିକି ଗ୍ରାହକଙ୍କ କାର୍ଡରେ କେତେ ଟଙ୍କା ବାଲାନ୍ସ ଅଛି ତାହା ବି ମେସିନ ଗ୍ରାହକଙ୍କୁ ସୂଚାଇ ଦେଉଛି ।

ଏପଟେ ମିଲ୍କ ଏଟିଏମକୁ ନେଇ ଗ୍ରାହକ ମଧ୍ୟ ବେଶ ଖୁସି ଅଛନ୍ତି । କ୍ଷୀରର ମାନ ଉଚ୍ଚକୋଟୀର ଥିବା ବେଳେ ଓଜନ ଠିକ୍ ରହୁଛି । ଗ୍ରାହକ ମାନେ ନିଜର ମିଲ୍କ ଏଟିଏମ କାର୍ଡ ଦ୍ୱାରା ନିଜେ କ୍ଷୀର ନେଉଥିବାର ଦେଖାଯାଇଛି ।