ଶାହିଦ ଆଫ୍ରିଦିଙ୍କ ମନ୍ତବ୍ୟକୁ ନେଇ ରାଜନାଥ ସିଂଙ୍କ ପ୍ରତିକ୍ରିୟା : କହିଲେ, ଠିକ୍ କହିଛନ୍ତି ଆଫ୍ରିଦି, ଯିଏ ପାକିସ୍ତାନକୁ ସମ୍ଭାଳି ପାରୁନି ସେ କ’ଣ ସମ୍ଭାଳିବ କାଶ୍ମୀର

ପାକିସ୍ତାନ କଶ୍ମୀର ଚିନ୍ତା ଛାଡିଦେବା ଉଚିତ୍ ବୋଲି କହିଥିଲେ ଆଫ୍ରିଦି

223

କନକ ବ୍ୟୁରୋ : ପାକିସ୍ତାନ କାଶ୍ମୀର ଚିନ୍ତା ଛାଡିଦେବା ଉଚିତ । ଇଂଲଣ୍ଡର ସଂସଦ-ହାଉସ ଅଫ୍ କମନ୍ସରେ ଅଭିଭାଷଣ ଦେବା ବେଳେ ଏହା କହିଥିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ଭାରତୀୟ ଗଣମାଧ୍ୟମରେ ତାଙ୍କର ଏହି ବୟାନ ପ୍ରସାର ହେବା ପରେ ଟ୍ୱିଟ୍ କରି ସଫେଇ ରଖିଛନ୍ତି ଆଫ୍ରିଦି । କହିଛନ୍ତି ଯେ, ତାଙ୍କ ଅଭିଭାଷଣର ଖଣ୍ଡିଆ ଅଂଶ ଦେଖାଇ ଭୁଲ ଅର୍ଥ ବାହାର କରାଯାଉଛି ଏବଂ ସେ ତାଙ୍କ ଦେଶକୁ ଭଲ ପାଆନ୍ତି । ଏଥିସହ ଭାରତ କାଶ୍ମୀରରେ ଜୁଲମ କରୁଛି ବୋଲି ମଧ୍ୟ ସେ ଏବେ ଲେଖିଛନ୍ତି । ସେପଟେ ଆଫ୍ରିଦିଙ୍କ ପାକିସ୍ତାନ କାଶ୍ମୀର ଚିନ୍ତା ଛାଡିଦେବା ଦରକାର ବୋଲି କହିଥିବା ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଆଫ୍ରିଦି ଠିକ୍ କହିଛନ୍ତି ଏବଂ ଯେଉଁମାନେ ପାକିସ୍ତାନକୁ ସମ୍ଭାଳି ପାରୁନାହାନ୍ତି ସେମାନେ କାଶ୍ମୀର କ’ଣ ସମ୍ଭାଳି ପାରିବେ । ଏବଂ କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି ରାଜନାଥ ।

ସୂଚନାଯୋଗ୍ୟ, ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ କାଶ୍ମୀର ବୟାନକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ । ପାକିସ୍ତାନ ନିଜ ପାଖରେ ଥିବା ୪ଟି ପ୍ରଦେଶକୁ ପ୍ରଥମେ ସମ୍ଭାଳୁ ତାହା ପରେ କାଶ୍ମୀର କଥା ଚିନ୍ତା କରିବ । ଆଫ୍ରିଦିଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଲଣ୍ଡନରେ ବ୍ରିଟେନ ସଂସଦରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରିବା ବେଳେ ଏଭଳି କହିଥିଲେ ଶାହିଦ ଆଫ୍ରିଦି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଆଫ୍ରିଦି କହିଛନ୍ତି, ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ ।