କଣ ଖାଇବେ ଦୁଇ ଦେଶର ଖେଳାଳି । ନିରାମିଷ ଖାଉଥିବା କୋହଲିଙ୍କ ପାଇଁ ସ୍ପେଶାଲ କେଉଁ ଆଇଟମ ପ୍ରସ୍ତୁତ କରାଯିବ, ନଜର ପକାନ୍ତୁ ହୋଟେଲ କର୍ତ୍ତୃପକ୍ଷଙ୍କ ତାଲିକା ଉପରେ ।

1,209

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ପ୍ରସ୍ତୁତ ହେବ ଖାଦ୍ୟ । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିଙ୍କ ଖାଇବା ଓ ରହଣି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।  ମେ ଫେୟାର କାନିକା ରେଷ୍ଟୁରାଣ୍ଟରେ ଖେଳାଳିଙ୍କୁ ଓଡିଆ ଖାଦ୍ୟ ପରସାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ପାଇଁ ଖାଦ୍ୟ ମେନୁରେ ରହିଛି ମଟନ କଷା, ଦେଶୀ କୁକୁଡା ମାଂସ, ଡାଲମା, ଖଟା, କ୍ଷୀରି, ଶାଗ ଭଳି ଓଡିଆ ଖାଦ୍ୟ ।

ରବିବାର ମ୍ୟାଚ୍ ପୂର୍ବରୁ ଫିଟ୍ ରହିବେ ଖେଳାଳି । ସେଥିପାଇଁ ଲଞ୍ଚ ଓ ଡିନରରେ କମ୍ ମସଲା ଓ ତେଲଯୁକ୍ତ ଖାଦ୍ୟ ତିଆରି କରିବାକୁ କୁହାଯାଇଛି । ହୋଟେଲରେ ରହିବା ସମୟରେ ଦୁଇ ଦଳର ଖେଳାଳିଙ୍କ ପାଇଁ ପରଷାଯିବ ଖାଣ୍ଟି ଓଡିଆ ଖାଦ୍ୟ । ମେନୁରେ ରହିଛି , ମଟନ କଷା, ମଟନ ହାଣ୍ଡି, ଦେଶୀ କୁକୁଡା ମାଂସ ଝୋଳ, ଚିଙ୍ଗୁଡି ଓ ପାମପ୍ଲେଟ୍ ମାଛ ଭଳି ଆମିଷ ଆଇଟମ୍ । ଆଉ ନିରାମିଷରେ କାନିକା ଭାତ, ଡାଲମା, ବଢିଚୁରା, ଖଟା, ଖିରି, ଜହ୍ନି ପୋସ୍ତୋ, ଛତୁ ବେସର ଓ ଶାଗ ଭଳି ସୁଆଦିଆ ଓଡିଆ ବ୍ୟଞ୍ଜନ ।

କଂସା ଓ ପିତଳର ଥାଳି , ଗ୍ଲାସ ସାଙ୍ଗକୁ ଚାମଚ । ଓଡିଆ ଖାଦ୍ୟର ରେଷ୍ଟୁରାଣ୍ଟରେ ସଜା ହୋଇଛି ପାରମ୍ପରିକ ବାସନ କୁସନ ଓ ଖାଦ୍ୟ ସାମଗ୍ରୀ । ବିଶେଷ କରି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ନିରାମିଷାଷୀ । ତେଣୁ କୋହଲିଙ୍କ ପାଇଁ ତିଆରି ହେବ ଖାଂଟି ଓଡିଆ ନିରାମିଷ ଖାଦ୍ୟ । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ସହ ହୋଟେଲର ଲୋକପ୍ରିୟ ଖାଦ୍ୟ ବି ଦିଆଯିବ ଖେଳାଳିଙ୍କୁ । କିନ୍ତୁ ଓଡିଆ ଖାଦ୍ୟର ସ୍ୱାଦ ଚଖାଇବାକୁ ଅଗ୍ରାଧିକାର ଦିଆଯିବ ।