ବାରବାଟୀରେ ହେବ ଟାଇଟଲ ଟକ୍କର । ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି, ବଲିଉଡ ଗୀତରେ ନାଚି ନାଚି ଦୁଇ ଟିମକୁ କରାଗଲା ସ୍ୱାଗତ

655

କନକ ବ୍ୟୁରୋ : ବାରବାଟୀରେ ଆସନ୍ତା ୨୨ତାରିଖରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ-ୱେଷ୍ଟଇଣ୍ଡିଜର ଖେଳାଳି । ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ସିଧାସଳଖ ହୋଟେଲରେ ପହଁଚିଥିଲେ । ସେଠାରେ ଦୁଇ ଦଳର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଓଡିଶାର ପରମ୍ପରା ଅନୁସାରେ ଫୁଲ, ଚନ୍ଦନ ଓ ଉତରୀୟ ଦେଇ ନାଚ ଗୀତ ମାଧ୍ୟମରେ ଖେଳାଳିମାନଙ୍କୁ କରାଯାଇଛି ଜୋରଦ୍ୱାର ସ୍ୱାଗତ । ସେପଟେ ବାରବାଟୀରେ ମ୍ୟାଚ ଦେଖିବା ପାଇଁ ୧୨ ଟି କାଉଣ୍ଟରରେ ଟିକେଟ ବିକ୍ରି ଶେଷ ହୋଇଛି ।

ବିଶାଖାପାଟଣାରେ ବିରାଟ ବିଜୟ ପରେ ବାରବାଟୀ ଦଖଲ ପାଇଁ ପହଁଚିଛି ଟିମ୍ ଇଣ୍ଡିଆ । ସାଙ୍ଗରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ । ସ୍ୱତନ୍ତ୍ର ବିମାନରେ ଦୁଇ ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ କଡା ସୁରକ୍ଷା ମଧ୍ୟରେ ବସରେ ବାହାରିଥିଲେ ହୋଟେଲ ଅଭିମୁଖେ । ବିମାନ ବନ୍ଦରରୁ ହୋଟେଲ ରାସ୍ତା ମଧ୍ୟରେ ମ୍ୟାନ୍ ଇନ୍ ବ୍ଲୁ ଓ କାରିବିୟାନ ଟିମକୁ ଦେଖିବାକୁ ଜମିଥିିଲା ଶହ ଶହ କ୍ରିକେଟ୍ ଫ୍ୟାନଙ୍କ ଭିଡ ।

ରାସ୍ତା ସାରା ଖଚାଖଚ ଭିଡ ଭିତରେ, ନିଆରା ସ୍ୱାଗତ ପାଇଁ ପ୍ରସ୍ତୁତ ରହିଥିଲେ ହୋଟେଲ କର୍ମଚାରୀ । ବଲିଉଡ୍ ସଂଗୀତର ତାଳେ ତାଳେ ନାଚ ଗୀତ ଚାଲିଥିଲା ଆଉ ତାରି ଭିତରେ ଖେଳାଳିଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ । ଫୁଲ, ଚନ୍ଦନ ଓ ଉତରୀୟ ଦେଇ ଖେଳାଳି, କୋଚ୍ ଓ ପ୍ରତିନିଧିଙ୍କୁ ପାଛୋଟି ନିଆଯାଇଥିଲା । ଆଉ ବାହାରେ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଲାଗିଥିଲା ଫ୍ୟାନଙ୍କ ଲମ୍ବା ଲାଇନ୍ । କିଏ କୋହଲିଙ୍କୁ ଖୋଜୁଥିଲା ତ ଆଉ କାହା ଆଖି ଲାଖି ରହିଥିଲା ରୋହିତ ଶର୍ମାଙ୍କ ଉପରେ ।

ଏପଟେ ବାରବାଟୀ ବାହାରେ ଟିକେଟ୍ ପାଇଁ ଅସମ୍ଭବ ଭିଡ । ରାତି ନପାହୁଣୁ କାଉଣ୍ଟର ଆଗରେ ଲାଗିଥିଲା ଲମ୍ବା ଲାଇନ୍ । ଟିକେଟ୍ ପାଇଁ ଘଂଟା ଘଂଟା ଧରି ଠିଆ ହୋଇ ରହିଥିଲେ କ୍ରିକେଟ୍ ପ୍ରେମୀ । ପିଲା, ଯୁବକ, ମହିଳା , ବୃଦ୍ଧ ସମସ୍ତେ ଲାଗିଥିଲେ ଲାଇନ୍ରେ । କିଛି ଘଂଟା ମଧ୍ୟରେ ୧୨ ଟି କାଉଂଟରରେ ବିକ୍ରି ହୋଇଯାଇଥିଲା ୧୦ ହଜାରରୁ ଅଧିକ ଟିକେଟ୍ । ଶୁକ୍ରବାର ଉଭୟ ଟିମ୍ ଅଭ୍ୟାସ ପାଇଁ ବାରବାଟୀ ଯିବେ । ସକାଳ ୯ଟାରେ ଟିମ୍ ଇଣ୍ଡିଆ ଏବଂ ଅପରାହ୍ଣ ୨ଟାରେ ଅଭ୍ୟାସ କରିବ ୱେଷ୍ଟ ଇଣ୍ଡିଜ । କଡା ସୁରକ୍ଷା ମଧ୍ୟରେ ଦୁଇ ଟିମକୁ ରାଜପଥ ଦେଇ କଟକ ନିଆଯିବ ।