ଆଜିଠୁ ମାଟ୍ରିକ ପରୀକ୍ଷା । ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ,କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

162

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେବେ । ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହେବ । ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଛି ।

ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି । ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଡ୍ୟୁଟିରେ ପଡିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମୋବାଇଲ ବନ୍ଦ ରଖିବେ । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ ହେବ ।

କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ୫୭ଟି ସେଂଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିବେ ଓ ପରୀକ୍ଷା ସମ୍ପର୍କରେ ବୁଝିବେ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।