ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୯୬.୪ ପ୍ରତିଶତ, ୩୨୨୨ ସ୍କୁଲରେ ଶତ ପ୍ରତିଶତ ସଫଳତା

77

କନକ ବ୍ୟୁରୋ: ଛାତ୍ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ସଚିବ, ବୋର୍ଡ ସଭାପତି ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୬.୪ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ । କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି । ସେହିପରି ମାଲକାନଗିରି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୯୨.୬୮ ପ୍ରତିଶତ ରହିଛି ।

ଚଳିତ ବର୍ଷ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ଦେଇଥିଲେ ମାଟ୍ରିକ ପରୀକ୍ଷା । ସେଥିରୁ ୫ଲକ୍ଷ ୮ହଜାର ୪୦୪ ଜଣ ପାସ୍ କରିଛନ୍ତି । ୨ ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ମାଟ୍ରିକ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରୀମାନେ କେବଳ ଅଧିକ ସଂଖ୍ୟାରେ ମାଟ୍ରିକ ପାସ୍ କରିନାହାନ୍ତି, ୯୦ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ମଧ୍ୟ ଛାତ୍ରୀ ଆଗୁଆ ରହିଛନ୍ତି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨,୨୫୪ ଜଣ ଛାତ୍ରୀ ଏବଂ ୧,୯୦୪ ଜଣ ଛାତ୍ର । ନଜର ପକାନ୍ତି କେଉଁ ଗ୍ରେଡ୍ରେ କେତେ ପିଲା କୃତକାର୍ଯ୍ୟ ହୋଇଛନ୍ତି ।

ମାଟ୍ରିକ ରେଜଲ୍ଟ
ଏ-୧ ଗ୍ରେଡ୍ ୪,୧୫୮
ଏ-୨ ଗ୍ରେଡ୍ ୨୯,୮୩୮
ବି-୧ ଗ୍ରେଡ୍ ୭୭,୫୬୭
ବି-୨ ଗ୍ରେଡ୍ ୧,୧୮,୭୫୦
ସି- ଗ୍ରେଡ୍ ୧,୨୧,୬୧୧
ଜଣ ପିଲା ଉତୀର୍ଣ୍ଣ ହୋଇଛନ୍ତି ।
ଚଳିତ ବର୍ଷ ହେବ ସପ୍ଲିମେଂଟାରୀ ପରୀକ୍ଷା
ଖୁବଶୀଘ୍ର ଘୋଷଣା ହେବ ତାରିଖ
୨୩ ତାରିଖରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଗତବର୍ଷ ସପ୍ଲିମେଂଟାରୀ ପରୀକ୍ଷା ହୋଇନଥିଲା । ଏଥର ସପ୍ଲିମେଂଟାରୀ ପରୀକ୍ଷା ହେବ । ୨୩ ତାରିଖରୁ ଖାତା ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅନଲାଇନରେ ଏହି ଆବେଦନ କରାଯିବ ।