ଫର୍ମ ପିଲଅପ୍ ପରେ ବି କାହିଁକି ପ୍ରାୟ ୮% ପିଲା ଦେଲେ ନାହିଁ ମାଟ୍ରିକ ପରୀକ୍ଷା : ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ତଲବ

ହେଲେ ଯେଉଁମାନଙ୍କ ସ୍ତରରେ ଅବହେଳା ହୋଇଛି, ସେହିମାନଙ୍କୁ ରିପୋର୍ଟ ମଗାଯିବା ନେଇ ଉଠିଲା ପ୍ରଶ୍ନ

105

କନକ ବ୍ୟୁରୋ : ଫର୍ମ ଫିଲଅପ କରିଥିଲେ ସୁଦ୍ଧା କାହିଁକି ୪୩ ହଜାରରୁ ଅଧିକ ପିଲା ମାଟ୍ରିକ ପରୀକ୍ଷା ଦେଲେନାହିଁ ତାର ଖୋଳତାଡ ଆରମ୍ଭ ହୋଇଛି । ହେଲେ ଆଶ୍ଚର୍ଯ୍ୟ କରିଛି ଜିଲ୍ଲା ଶିକ୍ଷା ଅଧିକାରୀ- ଡିଇଓ ମାନଙ୍କୁ ଗଣଶିକ୍ଷା ବିଭାଗର ରିପୋର୍ଟ ତଲବ । କାହିଁକି ପ୍ରାୟ ୮% ପିଲା ପରୀକ୍ଷା ଦେବାକୁ ଆସିଲେ ନାହିଁ ସେନେଇ ରିପୋର୍ଟ ଦେବାକୁ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ କୁହାଯାଇଛି ।

ସ୍ୱାଭାବିକ ଭାବେ ଡିଇଓମାନେ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ- ବିଇଓ ମାନଙ୍କୁ ଅନୁରୂପ ରିପୋର୍ଟ ମାଗିଛନ୍ତି । ଏବେ କଥା ଉଠୁଛି ଯେଉଁମାନେ ପିଲାଙ୍କ ଫର୍ମ ଫିଲଅପ ନେଇ ଏଭଳି ହେରଫେର କରିଛନ୍ତି, ସେହିମାନେ କିଭଳି ରିପୋର୍ଟ ଦେବେ । ଏବଂ ତାହା କେତେଦୂର ନୀରପେକ୍ଷ ହୋଇପାରିବ । କେତେ ପିଲା ପାଠ ପଢୁଛନ୍ତି ଓ କେତେ ପିଲା ସ୍କୁଲକୁ ଆସୁ ନାହାନ୍ତି ସେ ବିଷୟରେ ଡିଇଓ କିମ୍ବା ବିଇଓମାନେ କୌଣସି ଖୋଜ ଖବର ରଖିଥିଲେ କି । କରୋନା ପରେ ଯେତେବେଳେ କ୍ଲାସ ସ୍ୱାଭାବିକ ହେଲା, ଅନୁପସ୍ଥିତ ରହୁଥିବା ପିଲାମାନଙ୍କ ବାବଦରେ କାହିଁକି ତଥ୍ୟ ସଂଗ୍ରହ କରାଯାଇ ନଥିଲା ।

ଯେଉଁ ପିଲାମାନେ ସ୍କୁଲକୁ ଆସିଲେ ନାହିଁ, ସେହି ରିପୋର୍ଟ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସମେଟିଭ-ଟୁ ପରୀକ୍ଷା ଦେଇନଥିବା ପିଲା ସମେଟିଭ- ୱାନ ପରୀକ୍ଷା ଦେଇଥିଲେ ନା ନାହିଁ । ଯଦି ସମେଟିଭ- ୱାନ ଦେଇନଥିଲେ, ତେହାହେଲେ ସେମାନଙ୍କ ଫର୍ମ ଫିଲଅପ କାହିଁକି କଲେ ସ୍କୁଲର ପ୍ରଧାନଶିକ୍ଷକ । ବିଇଓ କିମ୍ବା ଡିଇଓ ଏ ବାବଦରେ ଅବଗତ ଥିଲେ ନା ନାହିଁ । ଯଦି ଜାଣିଥିଲେ ତାହାହେଲେ କାହିଁକି ସରକାରଙ୍କ ଦୃଷ୍ଟିକୁ ଆଣିଲେ ନାହିଁ । ଏସବୁ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ଚୁପ ଅଛି କାହିଁକି ।