ମାରିବାକୁ ଚାହୁଁଥିଲେ ବାପା, ବଞ୍ଚେଇଲେ ମା’ ।ଆଜି ମାତୃ ଦିବସରେ କ୍ରିକେଟରଙ୍କ ଦୁଃଖଭରା କାହାଣୀ ।

252

କନକ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ରେ ଦମଦାର ପ୍ରଦର୍ଶନ କର ଚର୍ଚ୍ଚାରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋଭମାନ୍ ପାୱେଲ । ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ । ନିକଟରେ ଖେଳାଯାଇଥିବା ମ୍ୟାଚରେ ରୋଭମାନ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଲ୍ଲେଖନୀୟ ବ୍ୟାଟିଂ କରି ଦଳକୁ ୨୧ ରନରେ ବିଜେତା କରାଇଥିଲେ । ସେ ୩୭ ବଲରେ ୬୭ ରନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ।

୨୮ ବର୍ଷିୟ ରୋଭମାନଙ୍କୁ ଦିଲ୍ଲୀ ୨.୮୦ କୋଟି ଟଙ୍କାରେ କିଣିଛି । ଆଜିକାଲି ବେଶ୍ ଚକାଚକ୍ ଭରା ଜୀବ ବିତାଉଛନ୍ତି ରୋଭମାନ୍ । ହେଲେ ଏହି ସଫଳତା ଛୁଇଁବା ଯାଏଁ ତାଙ୍କର ଜୀବନ କାହାଣୀ ଶୁଣିଲେ ଯେ କୌଣସି ସମମ୍ବେଦନଶୀଳ ବ୍ୟକ୍ତିଙ୍କ ଆଖିରୁ ଲୁହ ଝରିଆସିବା ନିଶ୍ଚିତ । କ୍ରିକେଟରଙ୍କ ପିଲାଦିନ ବେଶ ସଂଘର୍ଷମୟ ଥିଲା । କାରଣ ତାଙ୍କ କାହାଣୀ ଯିଏ ବି ଶୁଣିଛି ଚକିତ ହୋଇଛି । ରୋଭମାନ୍ ଯେତେବେଳେ ତାଙ୍କ ମା’ଙ୍କ ଗର୍ଭରେ ଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଗର୍ଭରୁ ହିଁ ମାରିବାକୁ ଚାହୁଁଥିଲେ । ହେଲେ ମା’ ରାଜି ହୋଇନଥିଲେ । ସେ ତାଙ୍କୁ ଏ ସଂସାରର ଆଲୋକ ଦେଖାଇବାକୁ ପ୍ରତିଜ୍ଞା କରିଥିଲେ । ଆଉ ତାହା ସଫଳ ହେଲା ମଧ୍ୟ । ହେଲେ ଏଥିରେ କ୍ଷୁବ୍ଧ ହୋଇ ସେମାନଙ୍କୁ ଛାଡିଚାଲିଯାଇଥିଲେ ବାପା । ପିଲାର କୌଣସି ଦାୟିତ୍ୱ ନେବାକୁ ଅମଙ୍ଗ ହୋଇଥିଲେ ରୋଭାନଙ୍କ ବାପା । ହେଲେ ମା’ ପୁଅକୁ ପାଳି ବଡ କରିବାକୁ ନିଜକୁ ପ୍ରସ୍ତୁତ କରିଥିଲେ । ଏକାଏକା ତାଙ୍କୁ ବଡ କରି ମଣିଷ କରିଥିଲେ ।

ରୋଭମାନ ଓ ତାଙ୍କ ଭଉଣୀ ଦୁହିଁଙ୍କୁ ମଣିଷ କରିବାକୁ ତାଙ୍କ ମା’ ଅନେକ କଷ୍ଟ କରିଛନ୍ତି । ଉଭୟଙ୍କୁ ପାଠ ପଢାଇବାକୁ ରୋଭମାନଙ୍କ ମା’ ଘର ଘର ବୁଲି କାମ କରନ୍ତି । ସେଥିରୁ ଯାହା ଅର୍ଥ ମିଳେ ସେଥିରେ ନିଜ ସହ ଦୁଇ ପିଲାଙ୍କ ଦାୟିତ୍ୱ ଉଠାନ୍ତି । ପିଲାଟି ଦିନରୁ ରୋଭମାନ୍ ମା’ଙ୍କର କଷ୍ଟକୁ ଦେଖିଆସିଛନ୍ତି । ଆଉ ଏସବୁ ଦେଖିଦେଖି ଦିନେ ମା’ର କଷ୍ଟ ଦୂର କରିବାକୁ ପଣ କରିଥିଲେ । ସେଥିପାଇଁ ସେ ନିଜେ ମଧ୍ୟ ପିଲାଟି ଦିନୁ କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲେ । କ୍ରିକେଟରେ ନିଜ ସ୍ଥାନ ଜମାଇବା ପରେ ୨୦୧୯ରେ ସେ ତାଙ୍କ ମା’ଙ୍କୁ ଏକ କାର ଉପହାର ଦେଇଥିଲେ ।

ଯେତେବେଳେ ଜୀବନର କୌଣସି ମୋଡରେ ପ୍ରତିକୂଳ ପରିସ୍ଥିତି ଆସେ ସେତେବେଳେ ଅତୀତରେ ମା’ଙ୍କ କଷ୍ଟକୁ ମନେପକାଇ ନିଜ କଷ୍ଟକୁ ତଚ୍ଛ ବୋଲି ଭାବନ୍ତି । ଆଉ ଏଥିରୁ ପ୍ରେରଣା ପାଆନ୍ତି । ସାରା ବିଶ୍ୱରେ ମା’ହିଁ ତାଙ୍କ ପ୍ରଥମ ପ୍ରେରଣାର ସ୍ରୋତ ବୋଲି କୁହନ୍ତି ରୋଭମାନ୍ ପାୱେଲ ।