ଖଣି ଟଙ୍କାରେ ମାଲାମାଲ ଖଣି ଅଧିକାରୀ। ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରୁ ନଗଦ କୋଟିଏ ଟଙ୍କାରୁ ଅଧିକ ଜବତ କଲା ଭିଜିଲାନ୍ସ।

102

କନକ ବ୍ୟୁରୋ: ଖଣିବିଭାଗ ଅଧିକାରୀଙ୍କ ଟଙ୍କା ଖଣି । ଘରୁ ମିଳିଲା ନଗଦ କୋଟିଏ ଟଙ୍କା । ଘରୁ ବିଡା ବିଡା ନୋଟ, ସୁନାର ଗହଣା, ରୁପାର ବାସନ କୁସନ ଜବତ କରିଛି । ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏସବୁ ଦେଖି ତାଜୁବ ହୋଇଯାଇଛନ୍ତି । ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ଆୟବହିର୍ଭୁତ ସମ୍ପତି ଠୂଳ ଅଭିଯୋଗରେ ବାନ୍ଧିଛି ଭିଜିଲାନ୍ସ । ନିଜ ଆୟ ଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତି ଠୂଳ କରିଥିଲେ ଉମେଶ ଜେନା । ଶନିବାର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ ଓ ଅଫିସ୍ ସମେତ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆଉ ଚଢାଉରୁ ଭିଜିଲାନ୍ସକୁ ମିଳିଛି ବାସଭବନରୁ ନଗଦ ୧କୋଟି ୬୪ଲକ୍ଷ ଟଙ୍କା । ୬୫୦ ଗ୍ରାମ ଓଜନର ସୁନା ଗହଣା । ୪ଟି ଚାରି ଚକିଆ ଗାଡି, ଦୁଇଟି ବାଇକ୍ । ଭୁବନେଶ୍ୱରରେ ବହୁତଳ ଅଟ୍ଟାଳିକା । କେନ୍ଦୁଝରରେ ୩ଟି ଘର, ୫ଟି ପ୍ଲଟ ଠାବ ହୋଇଛି ।

ଖଣି କାରବାରର ବ୍ୟାପକ ଦୁର୍ନୀତିରୁ ଉମେଶ ଜେନା କୁବେର ଭଳି ସମ୍ପତି ଅର୍ଜନ କରିଥିବା ଅଭିଯୋଗ ହୋଇଛି । ଖଣି ବହୁଳ କେନ୍ଦୁଝର ଜିଲ୍ଲାରେ ରହଣି ସମୟରେ ସେ ଅସତ ଉପାୟରେ ଟଙ୍କା ରୋଜଗାର କରିଥିବା ଚର୍ଚ୍ଚା ହେଉଛି । ୨୦୦୯ରୁ ୨୦୧୨ ଦୀର୍ଘ ୩ ବର୍ଷ ଯୋଡା ଖଣି ମଣ୍ଡଳରେ ଉପନିର୍ଦ୍ଦେଶକ ଥିଲେ । କୋଇଡା ଖଣି ମଣ୍ଡଳରେ ମଧ୍ୟ ଉପନିର୍ଦ୍ଦେଶକ ଦାୟିତ୍ୱ ତୁଳାଇଛନ୍ତି । ସେ ଖଣି ଖନନ ଓ ପରିବହନରୁ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ଖଣି ଉତ୍ତୋଳନ ଓ ପରିବହନ ଅନୁମତି କାଗଜପତ୍ରରେ ଚାଲିଥିଲା । ତେଣୁ ଖଣି ଅଧିକାରୀମାନେ ବହୁତ କ୍ଷମତାଶାଳୀ ଥିଲେ । ସେ ସମୟରେ ଟ୍ରେନ ଯୋଗେ ଚୋରା ଖଣିଜ ଦ୍ରବ୍ୟ ଚାଲାଣ ଅଭିଯୋଗ ମଧ୍ୟ ଆସିଥିଲା ।

ଉଲିବୁର ଖଣିରେ ୨ଶହ କୋଟି ଟଙ୍କାର ଦୁର୍ନୀତିକୁ ତାହାର ଏକ ଉଦାହରଣ । କେନ୍ଦୁଝରର ଯୋଡା, କୋଇଡା ଭଳି ଖଣିଜ ସମ୍ପଦ ଭରପୁର ଖଣିରେ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସମୟରେ ଉମେଶ ଅନିୟମିତତା କରି କଳାଧନ ଅର୍ଜନ କରିଥିବା କୁହାଯାଉଛି । ଖଣି ଦୁର୍ନୀତି ଅଭିଯୋଗ ପରେ ଶାହା କମିସନଙ୍କ ତଦନ୍ତ ହୋଇଥିଲା ଓ ବ୍ୟାପକ ଦୁର୍ନୀତିର କଥା ସାମ୍ନାକୁ ଆସିଥିଲା । ଏବେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘର ପୁଳା ପୁଳା ଟଙ୍କା ଓ ସୁନା ମିଳିବା ପରେ ପୁଣି ଖଣି ଦୁର୍ନୀତିକୁ ନେଇ ଚର୍ଚ୍ଚା ବଢିଛି ।