ପାରିବାରିକ ବିବାଦରୁ ଫୁଟିଲା ଗୁଳି : ବାପା ମୃତ, ଝିଅ ଗୁରୁତର; ଜ୍ୱାଇଁ ଘରକୁ ଆସିଥିବାବେଳେ ସମ୍ପର୍କୀୟ ଫୁଟାଇଲେ ଗୁଳି

443

କନକ ବ୍ୟୁରୋ : ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ବିବାଦ ସମାଧାନ କରିବାକୁ ଜ୍ୱାଇଁ ଘରକୁ ଆସିଥିବା ବେଳେ ଗୁଳିମାଡ ହୋଇଛି । ଅଭିଯୋଗ ଅନୁସାରେ, ଗାୟତ୍ରୀଙ୍କ ନଣନ୍ଦେଇ ପ୍ରଶାନ୍ତ କୁମାର ବେହେରା ଯୋଜନାବଦ୍ଧ ଭାବେ ବିଜୟଙ୍କ ଉପରକୁ ଗୁଳି ମାଡ କରିଥିଲେ ।

ଗୁଳିମାଡ ପରେ ବିଜୟଙ୍କୁ ତୁରନ୍ତ ପୋଲସରା ହସ୍ପିଟାଲକୁ ନିଆଯାଇଥିଲା । ହେଲେ, ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅ ଗାୟତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସମ୍ପତ୍ତିକୁ ନେଇ ପ୍ରଶାନ୍ତଙ୍କ ଝିଅ ଓ ତାଙ୍କ ନଣନ୍ଦେଇଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା । ଆଉ ସେହି ବିବାଦରୁ ଗୁଳିମାଡ ହୋଇଥିବା କୁହାଯାଉଛି । ତେବେ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁସାରେ ବିଜୟଙ୍କ ଝିଅ ଗାୟତ୍ରୀ ସୋଡ଼କ ଗ୍ରାମରେ ବାହାହୋଇଛନ୍ତି। ଗାୟତ୍ରୀଙ୍କ ଶ୍ବଶୁର ଘର ପୋଲସରା ବ୍ଲକ୍‌ ଛକରେ ଘରଭଡ଼ା ନେଇ ରହୁଛନ୍ତି। ଗତକାଲି ବାପା ବିଜୟ ଝିଅ ଘରକୁ ଆସିଥିଲେ। ସଂଧ୍ୟା ପ୍ରାୟ ୬ଟା ୫୦ମିନିଟ୍‌ରେ ପ୍ରଶାନ୍ତ ଘରର ଝରକା ଗ୍ରିଲ୍‌ ଦେଇ ତାଙ୍କୁ ଉପରକୁ ଗୁଳି ଫୁଟାଇଥିଲେ । ବିଜୟଙ୍କ ଛାତିରେ ଗୋଟିଏ ରାଉଣ୍ଡ୍‌ ଗୁଳି ବାଜିଥିଲା। ଏହାପରେ ବିଜୟ ସେଠାରେ ଟଳି ପଡ଼ିଥିଲେ। ଏହା ଦେଖି ବାପାଙ୍କୁ ବଞ୍ଚାଇବାକୁ ଯାଇଥିବା ଝିଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ । ତାଙ୍କ ହାତରେ ଗୁଳି ବାଜିଥିଲା ।

ଘଟଣା ପରେ ଗୁଳିମାଡ଼ କରି ପ୍ରଶାନ୍ତ ସେଠାରୁ ଚମ୍ପଟ୍‌ ମାରିଥିଲା। ପରିବାରବର୍ଗ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ବିଜୟଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଝିଅ ଓ ଅନ୍ୟମାନଙ୍କ ବୟାନ୍‌ ରେକର୍ଡ଼ କରିଛି । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏଭଳି ଗୁଳିମାଡ଼ ଘଟିଥିବା ପୁଲିସ ଅନୁମାନ କରୁଛି ।