ମାଲକାନଗିରି ଚମ୍ପାଖାରୀ ନିକଟରେ ଦୁର୍ଘଟଣା : ୨ ବାଇକ୍ ମୁହାଁମୁହିଁ ଧକ୍କା; ଡିଭିଏଫ ଯବାନ ମୃତ

182

କନକ ବ୍ୟୁରୋ : ମାଲକାନଗିରି ଚମ୍ପାଖାରୀ ନିକଟରେ ଦୁର୍ଘଟଣା । ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୋଦ୍ରାପାଲି ଗ୍ରାମର ବିଶ୍ବନାଥ ମାଡକାମୀ।

ସୂଚନା ଅନୁଯାୟୀ, ରବିବାର ରାତି ୧୦ଟା ବେଳେ ଡିଭିଏଫ୍ ଯବାନ ବିଶ୍ବନାଥ ବାଇକରେ ଏକୁଟିଆ ଡିଉଟି କରିବା ପାଇଁ ଘରୁ ମାଲକାନଗିରିକୁ ଆସୁଥିଲେ । ଅନ୍ୟ ପଟୁ ଗୋଟିଏ ବାଇକରେ ମାଥିଲି ବ୍ଲକ ଅନ୍ତର୍ଗତ କାଳିପୂଜାରୀଗୁଡାର ବଳରାମ ପୂଜାରୀ, ମାଲକାନଗିରି ବ୍ଲକର ଗୁନିଆଗୁଡା ଗ୍ରାମର ସୁନ୍ଦର କୋପେ ଓ ବନ୍ଧୁଗୁଡା ଗ୍ରାମର ବଳ ପୂଜାରୀ ସୁକୁମାରୁ କାମ ସାରି ୩ଜଣ ନିଜର ଘରକୁ ଫେରୁଥିଲେ ।

ସେହି ସମୟରେ ଚମ୍ପାଖାରୀ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪ଜଣ ରକ୍ତାକ୍ତ ହୋଇ ପଡ଼ିଥିଲେ‌ । ସ୍ଥାନୀୟ ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ବିଶ୍ବନାଥ ଙ୍କୁ ମୃତ ଘୋଷଣା କରିଥିବା ବେଳେ ବଳରାମ ପୂଜାରୀ ଓ ବଳ ପୂଜାରୀ କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ସୁନ୍ଦର କୋପେ ମାଲକାନଗିରି ଠାରେ ଚିକିତ୍ସିତ ହେଉଛନ୍ତି ।