ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ । ପାୱାରଙ୍କୁ ସିନ୍ଦେ ଭେଟିବା ଖବର ପ୍ରଚାରିତ, ଜାଣନ୍ତୁ କଣ କହିଲେ ଏକନାଥ

914

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଖବର ପ୍ରଚାରିତ ହେଉଛି କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । କେବଳ କଥା ପ୍ରଚାରିତ ହେଉ ନାହିଁ ବରଂ ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ହେଲେ ଏଭଳି ଖବର ପ୍ରଚାରିତ ହେବା ପରେ ଏହାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି କି, ଏଭଳି କୌଣସି ଭେଟଘାଟ ହୋଇନାହିଁ ।

କହିରଖୁ କି ମହାରାଷ୍ଟ୍ରରେ ଏନସିପିର ୩୯ ଜଣ ବିଧାୟକ ରହିଛନ୍ତି । ଏନସିପି ବିଗତ ୨.୬ ବର୍ଷ ଧରି ଶିବସେନା ସହିତ ମେଣ୍ଟ ସରକାରରେ ସାମିଲ ହୋଇଥିଲା । ହେଲେ ଶିବସେନାର କିଛି ବିଧାୟକ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାରୁ ଏବେ ଶିବସେନା ସରକାରର ପତନ ଘଟିଛି । ଏବେ ଶିବସେନାର ବିଦ୍ରୋହୀ ବିଧାୟକ ଓ ବିଜେପି ମିଳିତ ସରକାର ଗଠନ କରିଛନ୍ତି  ।

ଏକନାଥ ସିନ୍ଦେ ଓ ଶରଦ ପାୱାରଙ୍କର ଏକ ଫଟୋ ବୁଧବାର ଦିନ ଭାଇରାଲ ହୋଇଥିଲା । ଏହି ଫଟୋରେ ଦେଖିବାକୁ ମିଳିଥିଲା କି ସିନ୍ଦେ ପାୱାରଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି । ଏପଟେ ଗତ ତିନିଦିନ ତଳେ ଶରଦ ପାୱାର ତାଙ୍କର ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଏଥିରୁ ଅନୁମାନ କରାଯାଉଛି କି, ରାଜ୍ୟରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହୋଇପାରେ ।