ମହାରାଷ୍ଟ୍ର କ୍ୟାବିନେଟର ହେଲା ସଂପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେତେ ମନ୍ତ୍ରୀପଦ

372

କନକ ବ୍ୟୁରୋ : ସରକାର ଗଠନର ଦୀର୍ଘ ୧ମାସ ପରେ ମହାରାଷ୍ଟ୍ରରେ ସିନ୍ଦେ ସରକାର ଆଜି କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଏହି କ୍ରମରେ ଆଜି ସିନ୍ଦେ ସରକାରରେ ୧୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସୂଚନା ମୁତାବକ ଏହି ୧୮ ଜଣମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ଓ ଅନ୍ୟ ୯ ଜଣ ସିନ୍ଦେ ଗ୍ରୁପର ବୋଲି ଜଣାପଡିଛି । ଏହାକୁ ମିଶାଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୨୦ ରେ ପହଂଚିଛି । କହିରଖୁ କି ଏକ ନାଟକୀୟ ଢଙ୍ଗରେ ଶିବସେନା ବିଦ୍ରୋହୀ ସିନ୍ଦେ ଗ୍ରୁପ ଓ ବିଜେପି ମିଳିତ ଭାବେ ଜୁନ ୩୦ ତାରିଖରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରକୁ ଭାଙ୍ଗି ସରକାର ଗଠନ କରିଥିଲେ । ଏଥିରେ କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନର୍ଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ହେଲେ ସରକାର ଗଠନର ପାଖାପାଖି ୪୦ ଦିନ ପର୍ଯ୍ୟନ୍ତ କାହିଁକି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରୁ ନଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ କି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ସରକାରୀ କାର୍ଯ୍ୟରେ କୌଣସି ଅସୁବିଧା ହେଉ ନଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ନଜର ଦିଆଯାଇ ନଥିଲା ।

ସେପଟେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ପ୍ରକୃତ ଶିବସେନାର ମାଲିକାନା କାହାପାଖରେ ରହିବ ତାକୁ ନେଇ ଏବେ ବି ଆଇନଗତ ଲଢେଇ ଜାରି ରହିଛି । ଏନେଇ ସୋମବାର ଦିନ ନିର୍ବାଚନ ଆୟୋଗଙ୍କ ନିକଟରେ ଉଭୟ ଉଦ୍ଧବ ଠାକରେ ଗ୍ରୁପ ଓ ଏକନାଥ ସିନ୍ଦେ ଗ୍ରୁପ କିଛି ଦସ୍ତାବିଜ ଜମା କରିବାକୁ ଥିବା ବେଳେ ସୋମବାର ଦିନ କେବଳ ଏକନାଥ ସିନ୍ଦେଙ୍କ ତରଫରୁ ଦସ୍ତାବିଜ ଜମା କରାଯାଇଛି ।