ଆଇନଜୀବୀଙ୍କ ସଂଘର୍ଷ : ୨୦ ଟଙ୍କା ପାଇଁ ରେଲୱେ ବିରୋଧରେ ୨୨ ବର୍ଷର ଲଢେଇ ।

367

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ଜଣେ ଆଇନଜୀବୀ ମାତ୍ର ୨୦ ଟଙ୍କା ପାଇଁ ରେଲୱେ ସହ ଦୀର୍ଘ ୨୨ ବର୍ଷ ଧରି ଲଢେଇ କରିବା ଓ ଶେଷରେ ମାମଲାରେ ବିଜୟୀ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏଠାକାର ଏକ ଅଦାଲତ ରେଲୱେ ବିରୋଧରେ ରାୟ ଦେବା ସହିତ ଆସନ୍ତା ଗୋଟିଏ ମାସ ଭିତରେ ସମସ୍ତ ଟଙ୍କା ସମ୍ପୃକ୍ତ ଆଇନଜୀବୀଙ୍କୁ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ଖବର ଅନୁସାରେ ମଥୁରାରେ ହୋଲିଗେଟ୍ ଅଞ୍ଚଳର ଆଇନଜୀବୀ ତୁଙ୍ଗନାଥ ଚତୁର୍ବେଦୀ ୧୯୯୯ ଡିସେମ୍ବର ୨୫ ରେ ନିଜର ଜଣେ ସହଯୋଗୀଙ୍କ ସହ ମୁରାଦାବାଦ ଯିବା ପାଇଁ ଟିକଟ କିଣିବାକୁ ମଥୁରା ଛାବନୀ ଟିକଟ କାଉଣ୍ଟର ଯାଇଥିଲେ । ସେହି ସମୟରେ ଟିକେଟର ମୂଲ୍ୟ ୩୫ ଟଙ୍କା ଥିଲା । ଟିକେଟ୍ କାଉଣ୍ଟରରେ ଥିବା କର୍ମଚାରୀଙ୍କୁ ସେ ୧୦୦ ଟଙ୍କା ଦେଇଥିଲେ ବି ଦୁଇ ଜଣଙ୍କ ପାଇଁ ୭୦ ଟଙ୍କା ପରିବର୍ତ୍ତେ ୯୦ ଟଙ୍କା ନେଇଥିଲେ । ତୁଙ୍ଗନାଥ ସମ୍ପୃକ୍ତ କର୍ମଚାରୀଙ୍କ ସହ ବହୁ ସମୟ ଧରି ଯୁକ୍ତତର୍କ କରିଥିଲେ । ତଥାପି କର୍ମଚାରୀ ଜଣକ ବାକି ୨୦ ଟଙ୍କା ଫେରାଇନଥିଲେ । ଏହାପରେ ସେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ତେବେ ଦୀର୍ଘ ୨୨ ବର୍ଷ ପରେ ଜିଲ୍ଲା ଉପଭୋକ୍ତା ଫୋରମ୍ ରେଳବାଇକୁ ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁଙ୍ଗନାଥଙ୍କ ଠାରୁ ନିଆଯାଇଥିବା ଅତିରିକ୍ତ ୨୦ ଟଙ୍କା ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାନସିକ, ଓ ଆର୍ଥିକ ଯନ୍ତ୍ରଣା ଓ ଅନ୍ୟ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।