ମହାପ୍ରସାଦର ‘ମାନ’ ପରୀକ୍ଷା ! ସେବାୟତ କହିଲେ, ମହାପ୍ରସାଦର ହେବ ଅପମାନ

102

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିଶକୁ ବିରୋଧ । ମହାପ୍ରସାଦର ମାନ ଯାଂଚ ନେଇ ଜଷ୍ଟିସ ବିପି ଦାସ କମିଶନ ଦେଇଥିବା ପ୍ରସ୍ତାବ ବିରୋଧରେ ପୁରୀରେ ଉଠିଛି ସ୍ୱର । ଅବଢାର ମାନ କିଭଳି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କରିବେ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ । ସଂସ୍କାର ନାଁରେ ସରକାର ଶ୍ରୀମନ୍ଦିର ପରମ୍ପରା ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସେବାୟତ । ତେଣୁ କମିଶନଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେବା ଆଗରୁ ସୃଷ୍ଟି କରିଛି ଅଡୁଆ ।

ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସଂସ୍କାର କମିଶନଙ୍କ ସୁପାରିଶକୁ ନେଇ ବିବାଦ । ପ୍ରସ୍ତାବ କାର୍ଯ୍ୟକାରୀ ହେବାର ବହୁ ପୂର୍ବରୁ ମୁଣ୍ଡ ଟେକିଲାଣି ବିରୋଧ । ଜଷ୍ଟିସ ବିମଳ ଦାସ କମିଶନ ଦେଇଥିବା ଅନ୍ତରୀଣ ରିପୋର୍ଟରେ ଶ୍ରୀମନ୍ଦିର ଭିତରକୁ ଭୋଗ ପ୍ରସୁତି ପାଇଁ ଆସୁଥିବା ସାମଗ୍ରୀର ମାନ ଯାଂଚ ପାଇଁ ସ୍ୱାସ୍ଥ୍୍ୟ ଅଧିକାରୀ ନିଯୁକ୍ତ କରିବାକୁ ପ୍ରସ୍ତାବ ରହିଛି । ଏପରିକି ମନ୍ଦିର ଭିତରେ ବିକ୍ରୀ ହେଉଥିବା ଭୋଗର ମାନ ବି ଯାଂଚ ହେଉ ବୋଲି କହିଛନ୍ତି କମିଶନ । ହେଲେ ଏହି ସୁପାରିଶକୁ ବିରୋଧ କରିଛନ୍ତି ସେବାୟତ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ । ଅବଢାର ମାନ ଯାଂଚ ହେଲେ ଭକ୍ତଙ୍କ ଭାବାବେକୁ ଧକ୍କା ଲାଗିବ ବୋଲି ଯୁକ୍ତି ବାଢିଛନ୍ତି ।

ଅବଢାର ମାନ ଯାଂଚ ପ୍ରସ୍ତାବର ପୁରୀରେ ତୀବ୍ର ହୋଇଛି ପ୍ରତିବାଦ । ଅବଢା ଭଳି ପବିତ୍ର ପ୍ରସାଦର ମାନ କିଭଳି ଯାଂଚ ହେବ ବୋଲି ପ୍ରଶ୍ନ ଉଠିଛି । ସଂସ୍କାର ନାଁରେ ସରକାର ଶ୍ରୀମନ୍ଦିରର ସ୍ୱତନ୍ତ୍ର ପରମ୍ପରାକୁ ନଷ୍ଟ ନକରନ୍ତୁ ବୋଲି ସେବାୟତମାନେ କହିଛନ୍ତି । ସେପଟେ କେବଳ କଂଚାମାଲର ଯାଂଚ ଜଣେ ଫୁଡ ଇନସ୍ପେକ୍ଟରଙ୍କ ଦ୍ୱାରା କରାଇବା ପ୍ରସ୍ତାବରେ କୌଣସି ଅସୁବିଧା ନାହିଁ ବୋଲି ମତ ରଖିଛନ୍ତି କିଛି ବରିଷ୍ଠ ସେବାୟତ ।

ଶ୍ରୀମନ୍ଦିର ସଂସ୍କାର ପାଇଁ ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୬ଟି କମିଶନ ଗଠନ କରାଗଲାଣି । ହେଲେ ଅନେକ ରିପୋର୍ଟର ଦେଖାନାହିଁ । ଗତବର୍ଷ ନିଳାଦ୍ରୀବିଜେ ବିଶୃଙ୍ଖଳା ପରେ ସରକାର ଜଷ୍ଟିସ ବି.ପି ଦାସ କମିଶନ ଗଠନ କରିଥିଲେ । ଏହାରି ଭିତରେ କମିଶନ ତାଙ୍କ ୬୦ ପୃଷ୍ଠାର ଅନ୍ତରୀଣ ରିପୋର୍ଟରେ ଅନେକ ପ୍ରସ୍ତାବ ଦେଇଛନ୍ତି । ହେଲେ ଅବଢାର ମାନ ଯାଂଚକୁ ନେଇ ଦିଆଯାଇଥିବା ପ୍ରସ୍ତାବ ବିରୋଧରେ ମୂଳରୁ ଉଠିଲାଣି ପ୍ରତିବାଦର ସ୍ୱର ।

ଏହାସହ ଦେଖନ୍ତୁ ଏହି ଭିଡିଓ-